କଣ୍ଟାମାଳ,୮/୭ -ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚାଲିଥିବା ବ୍ୟାପକ ଦୁର୍ନୀତିରେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଯୋଗ୍ୟ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇଦେବା ଦାବୀରେ ଗୁରୁବାର ରାଜ୍ୟ ବିଜେପି ସାଧାରଣ ସଂପାଦିକା ଡଃ. ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ନେତୃତ୍ୱରେ କଣ୍ଟାମାଳ ବ୍ଲକ ଘେରାଉ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଡକ୍ଟର ସାମନ୍ତ ସିଂହାରଙ୍କ ସହ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମିନାରାଣୀ ମିଶ୍ର, କଣ୍ଟାମାଳ ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ,ଜିଲ୍ଲା ଏସସି ମୋର୍ଚ୍ଚା ଉପସଭାପତି ଅଲେଖ ବେହେରା,ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଡମ୍ବରୁଧର କହଁର,ଜିଲ୍ଲା ସାଧାରଣ ସଂପାଦକ ସୁଶାନ୍ତ ବାଘ, ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଟଳ କୁମାର ପ୍ରଧାନ, ଯୀଶୁ ପ୍ରଧାନ, ପଞ୍ଚମନ ଜଗଦଲା, ଅନିଲ ପ୍ରଧାନ, ନିରଂଜନ କର୍ଣ୍ଣ, ପିନାକଧର ରଣା, ମଣ୍ଡଳ ସଭାପତି ସରୋଜ କୁମାର ମେହେରଙ୍କ ସମେତ ଶତାଧିକ ବିଜେପିକର୍ମୀ କଣ୍ଟାମାଳ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରୁ ଏକ ଶୋଭାଯାତ୍ରାରେ ବାହାରି କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଣ୍ଟାମାଳ ବିଡିଓ ବନ୍ଦନା ଖଟୁଆଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।
ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ରିପୋର୍ଟ ଅନୁସାରେ ବ୍ୟାପକ ଅନିୟମିତତା ହୋଇଥିବା କୁହାଯାଇଛି । କେଉଁ ଅଯୋଗ୍ୟ ହିତାଧିକାରୀଙ୍କ ବାପାଙ୍କ ନାଁ ରେ ଘର ଦିଆଯାଇଛି ତ କାହାକୁ ଗୁହାଳ ଓ ଆଉ କାହାକୁ ପାଇଖାନା ପାଇଁ ଦିଆଯାଇଛି ଅର୍ଥ । ରାଜ୍ୟକୁ ମିଳିଥିବା ୮ଲକ୍ଷ ୧୭ହଜାର ଆବାସ କେବଳ ୨୧ଟି ଜିଲ୍ଲାରେ ଆବଣ୍ଟିତ କରି ବାକି ୯ଟି ଜିଲ୍ଲାକୁ ଆଦୌ ଆବାସ ଘର ଦିଆଯାଇନାହିଁ । କ’ଣ ଏହି ଜିଲ୍ଲା ଗୁଡିକରେ ଗରିବ ଅସହାୟ ଓ ଖଟିଖିଆ ଦିନ ମଜୁରିଆ ନାହାନ୍ତି ? ଏଭଳି ପାତର ଅନ୍ତର କଣ ପାଇଁ ବୋଲି ପ୍ରଶ୍ନ କରିଥିଲେ ବକ୍ତା ଶ୍ରୀମତି ସାମନ୍ତ ସିଂହାର । ସେପଟେ ପ୍ରଧାନମନ୍ତ୍ରୀ ଆବାସ ଠାରୁ ଆରମ୍ଭ କରି ସବୁ କେନ୍ଦ୍ରୀୟ ଯୋଜନାରେ ଦୁର୍ନିତି ହେଉଥିବା ଅଭିଯୋଗ ଆଣି ରାଜ୍ୟ ବିଜେଡି ସରକାର ବିରୁଦ୍ଧରେ ବିଷୋଦଗାର କରିବା ସହ ଟାର୍ଗେଟ୍ କରିଥିଲେ ରାଜ୍ୟ ବିଜେପି ସାଧାରଣ ସଂପାଦିକା ଶ୍ରୀମତି ସାମନ୍ତ ସିଂହାର । ପ୍ରକାଶ ଯେ ଆନ୍ଦୋଳନକାରୀମାନେ ଶୋଭାଯାତ୍ରାରେ ଆସି କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ମାତ୍ରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ କଣ୍ଟାମାଳ ପୋଲିସ ବ୍ଲକ ଫାଟକ ବନ୍ଦ କରି ଦେଇଥିଲେ, ଫଳରେ ବିକ୍ଷୋଭକାରୀମାନେ ବାଧ୍ୟ ହୋଇ ୪୧ନମ୍ବର ରାଜପଥ ଉପରେ ବସି ଦୀର୍ଘ ୩ଘଣ୍ଟା ଧରି ଶାନ୍ତି ପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।