ଜାତୀୟ ବିଜ୍ଞାନ କଂଗ୍ରେସରେ କଣ୍ଟାମାଳବ୍ଳକର ପ୍ରକଳ୍ପ ଜାତୀୟସ୍ତରକୁ ମନୋନୀତ

କଣ୍ଟାମାଳ,୨୯/୧୧- ଶିଶୁଙ୍କ ପାଇଁ ଜାତୀୟ ବିଜ୍ଞାନ କଂଗ୍ରେସର ରାଜ୍ୟସ୍ତରୀୟ ପ୍ରତିଯୋଗିତା ଭୂବନେଶ୍ୱରସ୍ଥିତ ଶ୍ରୀକୃଷ୍ଣ ଇଣ୍ଟରନେସନାଲ ସ୍କୁଲଠାରେ ଗତ ୨୭ ଓ ୨୮ ତାରିଖ ଦୁଇ ଦିନ ଧ଼ରି ଅନୁଷ୍ଠିତ ହୋଇ ଯାଇଥିବାବେଳେ ଏହି ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳବ୍ଳକର ଗୋଟିଏ ପ୍ରକଳ୍ପ ଜାତୀୟ ସ୍ତରକୁ ମନୋନୀତ ହୋଇଥିବା ଜଣାଯାଇଛି । ଏହି ପ୍ରତିଯୋଗିତାରେ ମୋଟ ୧୬୩ ଗୋଟି ପ୍ରକଳ୍ପ ଭାଗ ନେଇଥିବାବେଳେ ସେଥିମଧ୍ୟରୁ ୨୬ ଗୋଟି ପ୍ରକଳ୍ପ ଜାତୀୟ ସ୍ତରକୁ ମନୋନୀତ ହୋଇଥିବା ପ୍ରକାଶ । ବୌଦ୍ଧ ଜିଲ୍ଲାରୁ ୫ ଗୋଟି ପ୍ରକଳ୍ପ ସ୍ଥାନୀତ ହୋଇଥିବା ବେଳେ କଣ୍ଟାମାଳବ୍ଳକର ଗୋଟିଏ ପ୍ରକଳ୍ପ ଜାତୀୟ ସ୍ତରକୁ ମନୋନୀତ ହୋଇଥିବା ଜଣାଯାଇଛି । କଣ୍ଟାମାଳ ଆଦର୍ଶ ବିଦ୍ୟାଳୟର ଛାତ୍ର ଓମ୍‌ ଶିବମ୍‌ ମିଶ୍ର ଓ ପଲସାଗୋରା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଅମରେଶ ସାହୁଙ୍କ ଦ୍ୱାରା ମିଳିତ ପ୍ରସ୍ତୁତ ପ୍ରକଳ୍ପ “ଇଫେକଟିଭ ୱେ ଅଫ ଫେଷ୍ଟିଭାଲ ୱେଷ୍ଟ ଡିସପୋଜାଲ” ଜାତୀୟ ସ୍ତରକୁ ମନୋନୀତ ହୋଇଥିବାବେଳେ ଏହା ଜାତୀୟ ସ୍ତରରେ ଆସନ୍ତା ଡିସେମ୍ବର ଶେଷ ସପ୍ତାହରେ ପ୍ରଦର୍ଶିତ ହେବ । ଏହି ପ୍ରକଳ୍ପ ପ୍ରସ୍ତୁତିରେ ପଲସାଗୋରା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ ସାହୁ ସହଯୋଗ କରିଥିଲେ । ଜାତୀୟ ବିଜ୍ଞାନ କଂଗ୍ରେସରେ ବୌଦ୍ଧଜିଲ୍ଲାର ଏହି ସଫଳତା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଉଦୟନାଥ ମାଝୀ ଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଜାତୀୟ ସ୍ତରରେ ସେମାନଙ୍କ ସଫଳତା କାମନା କରିଛନ୍ତି ।

Comments (0)
Add Comment