ବୌଦ୍ଧରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀର କାର୍ଯ୍ୟକ୍ରମ “ବନ୍ଦେ ଉତ୍କଳ ଜନନୀ”

ବୌଦ୍ଧ : ଓଡିଶା ଦିବସ ଅବସରରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପ୍ରାୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ “ବନ୍ଦେ ଉତ୍କଳ ଜନନୀ” ଗତକାଲି ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ସଂଗ୍ରାହଳୟ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ ବୌଦ୍ଧ ଗଡଜାତ ଇତିହାସର ସ୍ୱାକ୍ଷର ବହନ କରୁଥିବା ଏହି ସଂଗ୍ରହାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଶ୍ରୀ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ମୁଖ୍ୟ ଅତିଥିଭାବେ ନବନିର୍ବାଚିତ ବୌଦ୍ଧ ଜିଲ୍ଲା ପରିଷଦର ଅଧ୍ୟକ୍ଷା ପ୍ରଭାସିନୀ ଦାସ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମହୀଧର ରଣା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି,ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ବୌଦ୍ଧ ତହସିଲଦାର ଅଭିନାଶ ପାଣ୍ଡିଆ ପ୍ରମୁଖ ଯୋଗ ଦେଇ ଓଡିଶା ଦିବସର ମହତ୍ତ୍ୱ ସଂପର୍କରେ କହିବା ସହ ଏହି ଅବସରରେ ଅନୁଷ୍ଠିତ ବନ୍ଦେ ଉତ୍କଳ ଜନନୀର ପ୍ରତ୍ୟେକଟି ସଙ୍ଗୀତ ଆମ ଓଡିଆବାସୀଙ୍କ ପାଇଁ ଗର୍ବ ଓ ଗୌରବ ହୋଇଥିବା ବେଳେ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ଏଭଳି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆମ ଭାଷା, ଆମ ସଂସ୍କୃତି ଓ ପରମ୍ପରାକୁ ବ୍ୟାପକ କରିବାରେ ସହାୟକ ହୋଇପାରିବ ।

ସମୟ ଥିଲା ଯେଉଁ ଓଡିଆ କଲେଜ ଶିକ୍ଷା ପାଇ ଅନ୍ୟ ରାଜ୍ୟକୁ ଯାଉଥିଲା, ସେହି ଓଡିଶା ଆଜି ଏତେ ବିକଶିତ ଓ ସମୃଦ୍ଧ ଯେ ଅନ୍ୟ ରାଜ୍ୟ ତଥା ଅନ୍ୟ ଦେଶର ଛାତ୍ରଛାତ୍ରୀ ଏଠାକୁ ଶିକ୍ଷା ଗ୍ରହଣ କରିବାକୁ ଆସୁଥିବା ବେଳେ ରାଜ୍ୟ ସରକାରଙ୍କ ନିଷ୍ଠାପର ଉଦ୍ୟମରେ କ୍ରୀଡା, ସଂସ୍କୃତି କ୍ଷେତ୍ରରେ ମଧ୍ୟ ଆମେ ବେଶ ଉନ୍ନତତର ବୋଲି ମତବ୍ୟକ୍ତ କରିଥିଲେ । ବିକାଶ ଧାରାରେ ବୌଦ୍ଧ ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବା ପାଇଁ ଆମେ ସଭିଏଁ ସଂକଳ୍ପ ନେବା ଏବଂ ଆଜିର ଏହି ଶୁଭ ଦିନ ହିଁ ଆମ ପାଇଁ ପ୍ରକୃଷ୍ଠ ବୋଲି ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଆଦର୍ଶ ବିଦ୍ୟାଳୟ, ଜବାହାର ନବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଖଲିଆବଗିଚା ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଦେଶାତ୍ମକବୋଧ ସଙ୍ଗୀତ ପରିବେଷଣ କରିଥିଲେ । ସେହିପରି ପ୍ରଣାମ ଓ ଗେହ୍ଲା ମା କଳା ନିକେତନର ଛାତ୍ରୀ ମାନେ ଓଡିଶୀ ଓ ଭାରତନାଟ୍ୟମ, ବହିରାର ଶିଶୁ ପାଲା ପରିବେଷଣ କରିଥିଲେ ।

କାର୍ଯ୍ୟକ୍ରମକୁ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ଦିବ୍ୟଶଙ୍କର ରାଉତ ସଂଯୋଜନା କରୁଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରୀତାକାନ୍ତୀ ବଳିଆର ସିଂ, ପ୍ରମୋଦ କୁମାର ପ୍ରଧାନ, ବସନ୍ତ କୁମାର ସାହୁ, ମାନସରଞ୍ଜନ ସେଠୀ, ସୋମେଶ ବେହେରା, ବିନାୟକ ସାହୁ, ରାମଚନ୍ଦ୍ର ମଲିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । କୋଭିଡ କଟକଣା ପରେ ଏହି କାର୍ଯ୍ୟକ୍ରମ ହୋଇଥିବାରୁ ବହୁ ଜନସମାଗମ ଦେଖିବାକୁ ମଳିଥିଲା ।

Comments (0)
Add Comment