ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ପଙ୍ଗପାଳ ମାନେ ପହଞ୍ଚି ଯାଇଥିବା ନେଇ ଜନସାଧାରଣରେ ଆଲୋଚନା ହେଉଛି । ସାମାଜିକ ଗଣମାଧ୍ୟମରେ ପଙ୍ଗପାଳମାନଙ୍କ ଫଟୋ ଭାଇରାଲ୍ ହେଉଛି । ବଡ଼ ବଡ଼ ଦଳରେ ନ ଆସି ବିକ୍ଷିପ୍ତ ଭାବରେ ଛୋଟ ଛୋଟ ଦଳରେ ଆସି ଅନେକ ସ୍ଥାନରେ ପହଞ୍ଚି ଥିବା ଶୁଣିବାକୁ ମିଳେ । କୃଷି ବିଭାଗ ପଙ୍ଗପାଳ ମାନଙ୍କ ଦାଉରୁ କିଭଳି ରକ୍ଷା ପାଇବାକୁ ହେବ ସେ ସମ୍ପର୍କରେ କୃଷକ ମାନଙ୍କୁ ସଚେତନ କରାଇବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏ କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲାରେ କୃଷି ବିଭାଗ ତରଫରୁ ଆରମ୍ଭ କରାଯାଇନାହିଁ । ଆଜି ଛୋଟ ଛୋଟ ପଙ୍ଗପାଳ ଦଳ ଜିଲ୍ଲାର ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ଅଂଚଳରେ ଲୋକେ ଦେଖିଥିବା ଯୋଗୁଁ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସେମାନେ ଯେଉଁ ଗଛ ଉପରେ ବସୁଛନ୍ତି ତାହାକୁ ଖାଇ ଯାଉଥିବା ଦେଖିବାକୁ ମିଳୁଛି । ଲୋକେ ଭିନ୍ନ ପ୍ରଜାତିର ଏକ ଝିଣ୍ଟିକା ଦେଖି ଭୟଭୀତ ହେଉଥିବା ବେଳେ କୃଷି ବିଭାଗ କ୍ଷେତ୍ର କର୍ମଚାରୀ ମାନେ କିନ୍ତୁ ତାକୁ ପଙ୍ଗପାଳ ନୁହନ୍ତି ବୋଲି ପ୍ରକାଶ କରୁଛନ୍ତି । ଏ ଅଂଚଳରେ ସାଧାରଣ ଭାବେ ଦେଖା ଯାଉଥିବା ଝିଣ୍ଟିକା ମାନଙ୍କ ଠାରୁ ବର୍ତ୍ତମାନ ଦେଖା ଯାଉଥିବା ଦଳ ଦଳ ଝିଣ୍ଟିକା ଅନ୍ୟ ପ୍ରଜାତିର ହୋଇଥିବା ହେତୁ ଲୋକେ ଆତଙ୍କିତ ହେବା ସ୍ୱାଭାବିକ । ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ ବୋଲି ଜନସାଧାରଣରେ ମତପ୍ରକାଶ ପାଉଛି ।