ଭୋଟ ବର୍ଜନ ନିଷ୍ପତ୍ତି | ମୌଳିକ ସୁବିଧାରୁ ବଞ୍ଚିତ ଥିବାରୁ ୫ ଟି ଗ୍ରାମ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଖଜୁରିପଡା ବ୍ଲକ ଅନ୍ତର୍ଗତ ୩ନଂ ୱାର୍ଡ କୁନ୍ଦା, ମାଦିଗୋଚ୍ଛା, ମୁଣ୍ଡାବୁଡି, ଦାରେକୁ, ବିତଲି ଗ୍ରାମଗୁଡିକ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଖଜୁରୀପଡା, ଥାନା ଭାରପ୍ରାପ୍ତ ଅଧିକାରୀ, ଖଜୁରୀପଡ଼ା,କନ୍ଧମାଳ ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳ ଫୁଲବାଣୀକୁ ଲିଖିତ ଭାବେ ଅଭିଯୋଗ ପତ୍ର ଦେଇଛନ୍ତି ।

ଏଥିରେ ଉଲ୍ଲେଖ ଅଛି ଯେ ଆଗାମୀ୨୦୨୨ରେ ହେବାକୁ ଥିବା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ବର୍ଜନ ନିଷ୍ପତ୍ତି ନେବେ। ଲିଖିତ ଅଭିଯୋଗ ପ୍ରକାରେ ଏହି ସବୁ ଗ୍ରାମ ଗୁଡିକରେ ଆବାଳକ ବୃଦ୍ଧ ବନିତା ପ୍ରାୟ ୫୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି । ଡିମିରିଖୋଲ ପ୍ରଧାନମନ୍ତ୍ରୀ ସଡକ ଯୋଜନା ଠାରୁ କୁନ୍ଦା ୱାର୍ଡକୁ ୬ କି.ମି. ଦୂରତା ମାତ୍ର ଡିମିରିଖୋଲ ଠାରୁ କୁନ୍ଦା ୱାର୍ଡ ପର୍ଯ୍ୟନ୍ତ ମାଟିରାସ୍ତା ସଂଯୋଗ ହୋଇଅଛି । ପାହାଡ ଅପହଞ୍ଚ ଅଞ୍ଚଳ ହୋଇଥିବାରୁ ବର୍ଷା ଦିନରେ ବର୍ଷାର ପ୍ରଖର ସ୍ରୋତରେ ଖାଲଖମା ସୃଷ୍ଟି ଓ ସ୍ଥାନେ ସ୍ଥାନେ କାଦୁଅରେ ଭାସୁଅଛି । ଯାହା ଫଳରେ ଗମନାଗମନରେ ବହୁ ବାଧାବିଘ୍ନ ସୃଷ୍ଟି ହେଉଅଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଏପରିକି ଏକମାସରୁ ୫ବର୍ଷ ଶିଶୁ ମାନଙ୍କୁ ସଠିକ୍‌ ସମୟରେ ପୋଲିଓ କିମ୍ବା ଟିକା ଦେବା ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ପହଞ୍ଚି ପାରୁନାହାନ୍ତି,ଗର୍ଭବତୀ ମାଆ ମାନଙ୍କ ପ୍ରସବ ସମୟରେ ଜନନୀ ସୁରକ୍ଷା ଆସିପାରୁ ନଥିବା ସ୍ଥଳେ କାନ୍ଧରେ କାନ୍ଧେଇ, ଭାରରେ ବୋହି ସ୍ୱାସ୍ଥ୍ୟ ଗୋଷ୍ଠୀ କେନ୍ଦ୍ରକୁ ନେବାକୁ ପଡୁଛି,ଯେ କୌଣସି ଜ୍ୱର ଓ ଝାଡା ବାନ୍ତି ହେଲେ ଆମ୍ବୁଲାନ୍ସ ଆସିପାରୁ ନଥିବାରୁ ଖଟରେ କାନ୍ଧେଇ ସ୍ୱାସ୍ଥ୍ୟ ଗୋଷ୍ଠୀ କେନ୍ଦ୍ରକୁ ନେବାକୁ ବାଧ୍ୟ ହେଉଅଛି । ଘରପୋଡି ସମୟରେ ଦମକଳର ସୁବିଧା ପାଇପାରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ବାରମ୍ବାର ସରକାରଙ୍କୁ ପ୍ରଧାନମନ୍ତ୍ରୀ ସଡକ ଯୋଜନା କିମ୍ବା ମୁଖ୍ୟମନ୍ତ୍ରୀ ସଡକ ଯୋଜନା ପାଇଁ ଆବେଦନ କରିଥିଲେ ମଧ୍ୟ ସରକାର ଆଜି ପର୍ଯ୍ୟନ୍ତ ଏହିସବୁ ଗ୍ରାମ ଗୁଡିକର ଆବେଦନକୁ ଅଣଦେଖା କରିଛନ୍ତି । ଗତ ବିଧାନସଭା ଓ ଲୋକସଭା ନିର୍ବାଚନ ସମୟରେ ଡଃ ଅଚ୍ୟୁତ ସାମନ୍ତ ଲୋକସଭା ସାଂସଦ ନିଜ ଦଳୀୟ ଲୋକଙ୍କୁ ନେଇ ଡ୍ରୋନ୍‌ କ୍ୟାମେରା ଆକାଶରେ ଉଡେଇ ସର୍ଭେ କରି ପ୍ରତିଶୃତି ଦେଇଥିଲେ- ତୁମ ୱାର୍ଡକୁ ପିଚୁରାସ୍ତା ଏବଂ ମଡେଲ ଭିଲେଜ୍‌ କରିବା ପାଇଁ, କିନ୍ତୁ ଆଜି ପର୍ଯ୍ୟନ୍ତ କିଛି ହୋଇପାରି ନାହିଁ । ଏଣୁ ପ୍ରଶାସନ ଓ ସରକାରଙ୍କ ଅଣଦେଖା ହେତୁ ଆମ୍ଭେ ପଞ୍ଚମୌଳିକ ଅଧିକାରରୁ ବଞ୍ଚିତ ରହୁଛୁ । ସେଥିପାଇଁ ଆମ୍ଭେ ଆଗାମୀ ଦିନରେ ୨୦୨୨ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏହି ଗ୍ରାମବାସୀ ।

Boycott for votingଭୋଟ ବର୍ଜନ ନିଷ୍ପତ୍ତି
Comments (0)
Add Comment