ଉନ୍ମୋଚନ ହେଲା “ଦୁଃଖ ସହିବାକୁ ଆଉ ନାହିଁ ସାହାସ’ ଭଜନ ଭିଡିଓ ସଙ୍ଗୀତ

ବ୍ରହ୍ମପୁର,୧୭/୭ : କୋଟିକୋଟି ଓଡ଼ିଆଙ୍କ ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏକ ଭାବପୂର୍ଣ୍ଣ ଭଜନ ଭିଡିଓ ସଙ୍ଗୀତ ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁରର ରବୀନ କ୍ରିଏସନ୍ସ୍‌ । ଏକ ସୁନ୍ଦର କାହାଣୀ ପରିକଳ୍ପନା ସହ ଏକ ପାରମ୍ପରିକ ଚିରାଚରିତ କାହାଣୀଠାରୁ ଏକ ଭିନ୍ନ ସ୍ୱାଦର ସଂପୂର୍ଣ୍ଣ ଓଡିଆଙ୍କର ନିତିଦିନିଆ ଚାଲିଚଳନକୁ ନେଇ ଏହା ପରିକଳ୍ପିତ । ଏକ ସୁନ୍ଦର ଭଜନ ସଙ୍ଗୀତ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରି ପ୍ରସ୍ତୁତ କରାଯାଇଛି । ପବିତ୍ର ହେରା ପଞ୍ଚମୀରେ ଶୁକ୍ରବାର ଏହି ଗୀତର ଭିଡିଓ ସଙ୍ଗୀତ ଉନ୍ମୋଚନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସନ୍ତୋଷ କୁମାର ମହାନ୍ତି ଏବଂ ସମ୍ମାନୀତ ଅତିଥି ଭାବେ କାଲାଞ୍ଜଳି ଟ୍ରଷ୍ଟର ମୁଖ୍ୟ ପରିଚାଳିକା ରାମେଶ୍ୱରୀ ନନ୍ଦ ଯୋଗ ଦେଇଥିଲେ । ଏହି ଭଜନରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବ୍ରହ୍ମପୁର ସହରର ଉଦୀୟମାନ ଯୁବକ ପ୍ରଭାତ ପ୍ରତିନିଧି, ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ରବିନ ସାହୁ । ଭିଡିଓ ଚିତ୍ରଉତ୍ତୋଳନ ଦାୟିତ୍ୱରେ କୁରେଶ ( ଆର. କେ) ସମ୍ପାଦନା ଭାବେ ଦିନେଶ କୁମାର ଗୌଡ଼ । ଗୀତକୁ ନିଜର ସୁମଧୁର ଭାବପୂର୍ଣ୍ଣ କଣ୍ଠରେ ଗାଇଛନ୍ତି ତୁମ୍ବେଶ କୁମାର । ଗୀତଟିକୁ ଖୁବ ସୁନ୍ଦର ସଂଯୋଜନା କରିଛନ୍ତି ସାଇ ଲକ୍ଷଣ । ଭଜନରେ ଅଭିନୟ କରିଛନ୍ତି ଈଶା ଭିଜନର ପରିଚାଳନା ନିର୍ଦ୍ଦେଶକ ତଥା ପ୍ରଯୋଜକ ସନ୍ୟାସୀ ମହାରଣା ଏବଂ ବରିଷ୍ଠ ସାମ୍ବାଦିକ , କଳାକାର , ଗାୟକ ସୁଦୀପ କୁମାର୍‌ ସାହୁ , ଏହାସହ ଆକାଶବାଣୀର ଉପସ୍ଥାପିକା ରଶ୍ମିତା ସାମଲ ଏବଂ କମଳ ପାତ୍ର ମଧ୍ୟ ଅଭିନୟ କରିଛନ୍ତି । ଏଥିରେ ସହଯୋଗ କରିଛନ୍ତି ବଦ୍ରୀନାଥ ପଣ୍ଡା ଓ ଚିକୁ ପ୍ରତିନିଧି । ରଥଯାତ୍ରା ସମୟରେ ଜଗନ୍ନାଥଙ୍କ ଭଜନଟି ଅଧିକ ଲୋକପ୍ରିୟ ହୋଇପାରିବ ବୋଲି କୁହାଯାଇଛି । ଗଞ୍ଜାମ ଜିଲ୍ଲାର କଳାକାରଙ୍କ ଦ୍ୱାରା ଏହା ସଂପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି ।

Comments (0)
Add Comment