ଭିନ୍ନକ୍ଷମ ମାନଙ୍କ ଅଧିକାର ଓ ଅଧିନିୟମ ସଚେତନତା ଶିବିର ଅନୁଷ୍ଠିତ

ପୁରୀ,୧୭/୧୨- ଦିବ୍ୟାଙ୍ଗ ମାନଙ୍କ ଉନ୍ନତି ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାସହ ସେମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରୁଛନ୍ତି । ଅନୁରୂପ ଭାବେ ଜିଲ୍ଲାରେ ମଧ୍ୟ ଦିବ୍ୟାଙ୍ଗ ମାନଙ୍କ କଲ୍ୟାଣ ନିମନ୍ତେ ଜିଲ୍ଲା ପ୍ରଶାସନ ସରକାରଙ୍କ ସମସ୍ତ ଯୋଜନାକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବାକୁ ଉଦ୍ୟମ ଜାରିରଖିଛି । ରାଜ୍ୟ ଭିନ୍ନକ୍ଷମ କମିଶନର ଶ୍ରୀମତୀ ସୁଲୋଚନା ଦାସ ପୁରୀ ଜିଲ୍ଲା ଗସ୍ତ କରି ଭିନ୍ନକ୍ଷମ ମାନଙ୍କ ଅଧିକାର ଓ ଅଧିନିୟମ- ୨୦୧୬ର ଜିଲ୍ଲାୱାରୀ କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି । ଏନେଇ ଏକ ସମୀକ୍ଷା ବୈଠକ ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି ।

ଏଥିରେ ରାଜ୍ୟ ଭିନ୍ନକ୍ଷମ କମିଶନର ଶ୍ରୀମତୀ ଦାସଙ୍କ ସହ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସମୀର କୁମାର ଦଳାଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅଶୋକ କୁମାର ନାୟକ, ବିଭାଗୀୟ ଅଧିକାରୀ, ବିଭିନ୍ନ ସଂଗଠନ, ଦିବ୍ୟାଙ୍ଗ ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାରେ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଫନି ପରେ ସେମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ କରାଯାଇ ସେମାନଙ୍କ ଉନ୍ନତି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଥିବା ଜିଲ୍ଲାପାଳ କହିଥିଲେ । ଦିବ୍ୟାଙ୍ଗ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନରେ ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ କମିଶନର ପ୍ରଶଂସା କରିଥିଲେ । ସେହିଭଳି ମୋ ସରକାର ସେଲରେ ୫ ଜଣ ଉଚ୍ଚ଼ଶିକ୍ଷିତା ଭିନ୍ନକ୍ଷମ ମହିଳାଙ୍କୁ ନିଯୁକ୍ତି ଦିଆଯାଇଥିବା ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଚଳିତ ଆର୍ଥିକ ବର୍ଷରେ ଜିଲ୍ଲାରେ ୮୧ ହଜାର ୪୪୪ ଜଣ ଦିବ୍ୟାଙ୍ଗଙ୍କୁ ଜାତୀୟ ସାମାଜିକ ସହାୟତା ପେନସନ ଯୋଜନା ଅଧିନରେ ସହାୟତା ପ୍ରଦାନ କରାଯାଇଛି । ସେହିଭଳି ମଧୁବାବୁ ପେନସନ ଯୋଜନା ମାଧ୍ୟମରେ ୧ ଲକ୍ଷ ୨୦ ହଜାର ୩୭୯ ଜଣଙ୍କୁ ସାମିଲ କରାଯାଇଛି । ଅନ୍ୟପକ୍ଷରେ ଦାରିଦ୍ର୍ୟ ସୀମାରେଖା ତଳେଥିବା ପରିବାରର ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ଚଳିତ ଆର୍ଥିକ ବର୍ଷରେ ୫୫୨ଟି ପରିବାରକୁ ପ୍ରତ୍ୟେକ ୨୦ ହଜାର ଭାବେ ଏକ କୋଟି ୧୦ ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।

ବିଭିନ୍ନ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ମାଧ୍ୟମରେ ଚଳିତବର୍ଷ ୨୭୪ଟି ଟ୍ରାଇ ସାଇକେଲ, ୧୫୩ ହ୍ୱିଲ ଓ ୧୦୩ଟି ସିପି ଚେୟାର, ୧୧୦ଟି ଆଶାବାଡି, ୧୨୬ଟି ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଛି । ବାଣିଶ୍ରୀ ଛାତ୍ରବୃତ୍ତି ମଧ୍ୟ ପ୍ରଦାନ କରାଯାଇଛି । ସେହିଭଳି କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ମାଧ୍ୟମରେ ୮୧ ଜଣ ଦିବ୍ୟାଙ୍ଗଙ୍କୁ ୯ ଲକ୍ଷ ୭୧ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଅବସରରେ ସାଇ ସମ୍ପୂର୍ଣ୍ଣା ଓ ଶ୍ରୀ ଧନତ୍ୱରୀ ଦେବ ଭିନ୍ନକ୍ଷମ ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରତ୍ୟେକ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା ।

Campaign for the Rights and Disabilities of Persons with Disabilities is heldnewsଭିନ୍ନକ୍ଷମ ମାନଙ୍କ ଅଧିକାର ଓ ଅଧିନିୟମ ସଚେତନତା ଶିବିର ଅନୁଷ୍ଠିତ
Comments (0)
Add Comment