ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚାନ୍ଦାହାଣ୍ଡି ବ୍ଲକ୍ସ୍ତରୀୟ ଜନଶୁଣାଣୀ ଶିବିର ଆଜି ଚାନ୍ଦାହାଣ୍ଡି ପଞ୍ଚାୟତ ସମିତି ସଭା ଗୃହରେ ଜିଲ୍ଲାପାଳ ଡକ୍ଟର କମଳଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ଏଥିରେ ଚାନ୍ଦାହାଣ୍ଡି ପଞ୍ଚାୟତ ସମିତିର ବିଭିନ୍ନ ଅଞ୍ଚଳରୁ ଜିଲ୍ଲାପାଳଙ୍କୁ ନିଜର ତଥା ନିଜ ଅଞ୍ଚଳର ସମସ୍ୟା, ଆପତ୍ତି ଅଭିଯୋଗ ଜଣାଇବା ପାଇଁ ଆସିଥିବା ୫୫ ଜଣଙ୍କର ନାମ ପଞ୍ଜିକରଣ କରାଯାଇଥିଲା । ସେଥି ମଧ୍ୟରୁ ୩୩ ଜଣଙ୍କର ବ୍ୟକ୍ତିଗତ ଆପତ୍ତି ଅଭିଯୋଗ ରହିଥିବାବେଳେ ୨୨ଗୋଟି ଗୋଷ୍ଟିଗତ ଥିଲା । ଏଥିରେ ପାନୀୟଜଳ, ସ୍ୱାସ୍ଥ୍ୟ ସେବା, ପ୍ରଧାନମନ୍ତ୍ରୀ ଆବାସ, ବାର୍ଦ୍ଧକ୍ୟ ଭତ୍ତା, ଶିକ୍ଷା ବ୍ୟବସ୍ଥା, ଗ୍ରାମାଞ୍ଚଳ ଉନ୍ନୟନ ବିଭାଗ ସଂପୃକ୍ତ ରାସ୍ତା ନିର୍ମାଣ, ଜମି ପଟ୍ଟା, ବିଜୁଳି ବ୍ୟବସ୍ଥା, ସମନ୍ୱିତ ଶିଶୁ ବିକାଶ, କୃଷି ବୀମା, ରାସନ କାର୍ଡ, ଅନାଥ ଶିଶୁ ମାନଙ୍କୁ ଭରଣ ପୋଷଣ ଥଇଥାନ, ସାମାଜିକ,ପାରିବାରିକ ସମସ୍ୟା, କର୍ମ ନିଯୁକ୍ତି,ସାମାଜିକ ସୁରକ୍ଷା, ଜମିଜମା ସଂକ୍ରାନ୍ତୀୟ ଇତ୍ୟାଦି ଅନ୍ତର୍ଭୁକ୍ତ ।
ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଲୋକଙ୍କର ସମସ୍ୟା, ବ୍ୟକ୍ତିଗତ ଆପତ୍ତି ଅଭିଯୋଗ ଜଣାଇବା ପାଇଁ ଆସିଥିବା ଜନସାଧରଣଙ୍କୁ ଭେଟି ତାଙ୍କର ଆପତ୍ତି ଅଭିଯୋଗ ଶୁଣାଣୀ କରିବା ସହିତ ଏଥି ସଂପୃକ୍ତ ଦରଖାସ୍ତ ସମସ୍ତଙ୍କ ଠାରୁ ଗ୍ରହଣ କରି ଏହାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ସ୍ତରରେ ଲୋକଙ୍କର ରହିଥିବା ସମସ୍ୟାର ସମାଧାନ କରିବା ପାଇଁ ଅଧିକ ଯତ୍ନବାନ୍ ହେବାସହିତ ସେବା ମନୋଭାବ ନେଇ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ଜନଶୁଣାଣୀ ଶିବିରରେ ନିଜ ନିଜ ବିଭାଗର ପୂର୍ଣ୍ଣ ତଥ୍ୟ ସହିତ ଉପସ୍ଥିତ ରହିବା ପାଇଁ ମଧ୍ୟ ଜିଲ୍ଲାପାଳ ଡକ୍ଟର ମିଶ୍ର ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜନ ଶୁଣାଣୀ ଶିବିରରେ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ରତ୍ନାକର ସାହୁ, ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର କାଳୀ ପ୍ରସାଦ ବେହେରା, ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଅଭିମନ୍ୟୁ ମାଝୀ,ଜିଲ୍ଲା ଶିକ୍ଷା ଅଧିକାରୀ, ପ୍ରଦୀପ କୁମାର ନାଗ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ, ପ୍ରଫୁଲ୍ଲ କୁମାର ମିଶ୍ର, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ, ସଞ୍ଜୀବ କୁମାର ସାହୁ, ଉପନିର୍ଦ୍ଦେଶକ କୃଷି ଉଦ୍ୟାନ ଭିଭାଗ ଡକ୍ଟର ପ୍ରଦୋଷ କୁମାର ପଣ୍ଡା, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଶିଶିର କୁମାର ପାଣି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନୀଆଲ୍, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ସ୍ୱର୍ଣ୍ଣ ଲତା ବିଶ୍ୱାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସୁରେଶ କୁମାର ପଟ୍ଟନାୟକ, ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ, ସଭ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷା, ଗୋଷ୍ଟି ଉନ୍ନୟନ ଅଧିକାରୀ, ତହସିଲଦାର, ବ୍ଲକ ଅଧିକାରୀ,ପୋଲିସ ପ୍ରଶାସନ ପ୍ରମୁଖ ଯୋଗଦେଇଥିଲେ ।
ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ୪ଜଣ ଦିବ୍ୟଙ୍ଗଙ୍କୁ ଟ୍ରାଏ ସାଇକଲ, ୫ ଜଣ ଦିବ୍ୟାଙ୍ଗଙ୍କୁ ହୁଇଲଚେୟାର୍ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।