ମୁଖ୍ୟ ସଚେତକଙ୍କ ହରଭଙ୍ଗା ଗସ୍ତ

ହରଭଙ୍ଗା : ବୌଦ୍ଧ ନିର୍ବାଚନ ମଣ୍ଡଳୀ ବିଧାୟକ ସରୋଜ କୁମାର ପ୍ରଧାନ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ନିଯୁକ୍ତ ହେବା ପରେ ଗ୍ରାମାଞ୍ଚଳ ସ୍ଥିତି ସମୀକ୍ଷା କରୁଛନ୍ତି। ଆଜି ହରଭଙ୍ଗା ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଗ୍ରାମାଞ୍ଚଳ ଉପରେ ଫୋକସ କରିଛନ୍ତି। ପ୍ରଥମେ ରାମଗଡ଼ ପଞ୍ଚାୟତ ପରଗଳପୁର ସ୍ଥିତ ବୁଦ୍ଧଦେବଙ୍କ ମନ୍ଦିର ପରିଦର୍ଶନ କରି ଲୁପ୍ତ ବୌଦ୍ଧ କୀର୍ତ୍ତିକୁ ପୁନଃ ଉଦ୍ଧାର ପାଇଁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ପରେ ପରଗଳପୁର ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ। ଦଳମତ ନିର୍ବିଶେଷରେ ମୁଁ ସମସ୍ତ ପାଇଁ ସର୍ବଦା ସମର୍ପିତ ବୋଲି ଅଭିଭାଷଣ ରଖିବା ସହ ଗ୍ରାମାଞ୍ଚଳ ବିକାଶ ପାଇଁ ଫୋକସ କରାଯିବ ବୋଲି ଜନସାଧାରଣଙ୍କୁ ସମ୍ବୋଧନ କରିଥିଲେ। ପରେ ଧଳପୁର ଗ୍ରାମବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ହରଭଙ୍ଗାରେ ଗ୍ରାମବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ସଭାରେ ଯୋଗ ଦେବା ସହ କାଳୀ ମନ୍ଦିର, ସର୍ବ ପୁରାତନ ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ, ପଞ୍ଚାୟତ ମହାବିଦ୍ୟାଳୟ ଓ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସମୀକ୍ଷା କରିଥିଲେ। ହରଭଙ୍ଗା ମହାବିଦ୍ୟାଳୟର ଦ୍ଵିତୀୟ ବର୍ଷର ଛାତ୍ର ସତ୍ୟଜିତ ମଲ୍ଲିକ ବିଧାୟକଙ୍କ ଅବିକଳ ନକଲ ଏକ ନିଜ ହାତ ତିଆରି ଚିତ୍ର ପ୍ରଦାନ କରିଥିଲେ । ଏହାକୁ ବିଧାୟକ ପ୍ରଶଂସା କରିବା ସହ ଚିତ୍ରକଳାକୁ ଆଗକୁ ନେବାକୁ ପରାମର୍ଶ ଦେଇଥିଲେ । ସେହିପରି ପିତାମ୍ବରପୁର ପଂଚାୟତ ବାସୀଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରିଶେଷରେ ନିଜ ପଞ୍ଚାୟତ ତିଳେଶ୍ୱରରେ ପହଞ୍ଚିଥିଲେ। ଜଗନ୍ନାଥ ମନ୍ଦିରରୁ ବିରାଟ ପଟୁଆରରେ ସ୍ଥାନୀୟ ବାସୀଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା। ସେଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବଜାର ଆସୋସିଏସନ, ବଜାର ଦୁର୍ଗାପୂଜା କମିଟି, ଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ଯୁବଗୋଷ୍ଠୀ ଓ ବିଜେପି କର୍ମକର୍ତାଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Comments (0)
Add Comment