ଜେଲ୍‌ ଗଲା ଚୁଲିଭଙ୍ଗା ଅଭିଯୁକ୍ତ ; କାହିଁକି ଭାଙ୍ଗିଲା,ଗୋଟି ଗୋଟି କରି କହିଲା

ପୁରୀ,୬/୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମୁଁ ବହୁତ ଭଲ ପାଏ । ତାଙ୍କୁ ବହୁ ଭକ୍ତି କରେ । କିନ୍ତୁ ଏଠି କିଛି ଲୋକ ଖାଇବାକୁ ପାଉନଥିବା ବେଳେ ଆଉ କିଛି ଲୋକଙ୍କ ପାଖରେ ବହୁତ ଖାଦ୍ୟ ଅଛି । ଏହାକୁ ନେଇ ମନରେ କ୍ରୋଧ ଓ ଅଭିମାନ ଥିଲା । ସେହି କ୍ରୋଧରେ ହିଁ ଚୁଲି ଭାଙ୍ଗିଦେଲି । ମହାପ୍ରଭୁଙ୍କ ରୋଷଶାଳା ଭାଙ୍ଗିବା ଅଭିଯୋଗରେ ଅଭିଯୁକ୍ତ ଜଗନ ମହାପାତ୍ର ଆଜି ଗଣମାଧ୍ୟମ ଆଗରେ ଏଭଳି ପ୍ରତିକ୍ରିୟା ରଖିଛି । ଅଭିଯୁକ୍ତ ଜଗନ ମହାପାତ୍ରକୁ ଆଜି ପୁରୀ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା । ତେବେ ତା’ ଜାମିନ୍‌ ଆବେଦନ ନାମଞ୍ଜୁର ହେବାରୁ ତାକୁ ଜେଲ ପଠାଇ ଦିଆଯାଇଛି । କୋର୍ଟ ଚାଲାଣ ବେଳେ ଚୁଲି କାହିଁକି ଓ କେମିତି ଭାଙ୍ଗିଥିଲା, ସେନେଇ ସେ ସବୁକଥା କହିଛି । ସେ କହିଛି ଯେ ଘଟଣା ଦିନ ଅପରାହ୍ନ ୨ଟାରୁ ୩ଟା ଭିତରେ ସେ ଶ୍ରୀମନ୍ଦିର ଭିତରକୁ ଯାଇଥିଲା । ପହଡ ପଡିଲା ପରେ ରୋଷଘର ଭିତରକୁ ଯାଇଥିଲା । ସେତେବେଳେ ଗେଟ୍‌ ପାଖରେ କେହି ନଥିଲେ । ରୋଷଘର ଭିତରକୁ ଲାଇଟ୍‌ ଜଳୁଥିଲା । ପ୍ରଥମେ ଅଳିଆ ସଫା କଲି ଏବଂ ତା’ପରେ ରାଗରେ ସବୁ ଚୁଲି ଭାଙ୍ଗି ଦେଇଥିଲି । ଚୁଲି ଭାଙ୍ଗି ଭାଙ୍ଗିବା ପରେ ରୋଷଘରୁ ବାହାରିଲା ବେଳେ ଜଣେ କିଏ ଶୋଇଥିବା ଦେଖିବାକୁ ପାଇଲି । ବାଇଶି ପାହାଚ ଦେଇ ଆସୁଥିବାବେଳେ ଜେଟିପି ହାତରେ ଧରା ପଡିଥିଲି । ୩ ଜଣ ଜେଟିପି ମୋତେ ଧରି ବାହାରେ ଛାଡି ଦେଇଥିଲେ । ତା’ପରେ ମୁଁ ପଳାଇ ଆସିଥିଲି ବୋଲି ଜଗନ କହିଛି । ଜଗନ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀ । ଆଜି ପର୍ଯ୍ୟନ୍ତ ଅବିବାହିତ ରହିଛି । ଆର୍ଥିକ ସ୍ଥିତି ଭଲ ନଥିବାରୁ ମାନସିକ ଦୁଶ୍ଚିନ୍ତାରେ ଥିଲେ । ସେଥିପାଇଁ ସେ ରାଗରେ ଚୁଲି ଭାଙ୍ଗି ଥିବା କହିଛନ୍ତି । ରବିବାର ଏହି ଘଟଣା ଘଟିଥିଲା ।

Comments (0)
Add Comment