ଭୁବନେଶ୍ୱର : ରାଜ୍ୟ ପାଇଁ ପୁଣି ଖୁସି ଖବର ମିଳିଛି । କରୋନା ଆକ୍ରାନ୍ତ ପଜିଟିଭ ସଂଖ୍ୟା ପ୍ରତିଦିନ ବଢିଚାଲିଥିବା ବେଳେ ପ୍ରତିଦିନ ମଧ୍ୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରୁଥିବା ଖବର ମିଳୁଛି । ଏହି କ୍ରମରେ ଆଜି ୮୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୩୨୫ ସୁସ୍ଥ ହୋଇ ଘରକୁ ଗଲେଣି । ସୁସ୍ଥ ହୋଇଥିବା ୮୦ ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀର ୧୭, କେନ୍ଦ୍ରାପଡାର ୧୬, ମାଲକାନାଗିରିର ୧୬, କଟକରୁ ୭, ନୟାଗଡରୁ ୩, ସୋନପୁରରୁ ୩, ସୁନ୍ଦରଗଡରୁ ୩, କେନ୍ଦୁଝରରୁ ୩, ଝାରସୁଗୁଡାରୁ ୩ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଗଞ୍ଜାମ, କନ୍ଧମାଳ ଓ ଖୋର୍ଦ୍ଧାରୁ ୨ଜଣ ଲେଖାଏଁ ବଲାଙ୍ଗୀର, ଜଗତସିଂହପୁର, ନବରଙ୍ଗପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫ରେ ପହଞ୍ଚିଥିବା ବେଳେ ୧୩୨୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୯୧୧ ଆକ୍ରାନ୍ତ ଏବେ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୭ଜଣଙ୍କର ମୃତ୍ୟୁ ହୋଇଛି ।