ଲୋକପ୍ରିୟତାର ଶୀର୍ଷରେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଲୋକପ୍ରିୟତାର ଶୀର୍ଷରେ ସ୍ଥାନ ପାଇଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆ ଓ ସି-ଭୋଟର୍ସ ସର୍ଭେ ନବୀନଙ୍କ ବ୍ୟକ୍ତିତ୍ୱକୁ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ପ୍ରମାଣିତ କରିଛନ୍ତି । ଦେଶ କରୋନା ସହିତ ଲଢୁଥିବା ବେଳେ ସି-ଭୋଟର୍ସ ସର୍ଭେ ନବୀନଙ୍କୁ ଲୋକପ୍ରିୟ ତାଲିକାର ଶୀର୍ଷରେ ପହଞ୍ଚାଇ ଥିବା ବେଳେ ଏହାକୁ କେହିବି ସମାଲୋଚନା କରିବାକୁ ସାହାସ ଜୁଟାଇ ନାହାନ୍ତି । ଦେଶର ପ୍ରଧାନମନ୍ତ୍ରୀ ସ୍ୱୟଂ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାକୁ ବାର୍ ବାର୍ ପ୍ରଶଂସା କରୁଥିବା ବେଳେ ମିଳିତ ଜାତିସଂଘଠାରୁ ଆରମ୍ଭ କରି ବିଶ୍ୱର କୋଣଅନୁକୋଣରେ ଥିବା ବିଭିନ୍ନ ଅନ୍ତର୍ଜାତୀୟ ଓ ଜାତୀୟ ସଂସ୍ଥାଗୁଡିକ ମଧ୍ୟ ନବୀନଙ୍କ ପ୍ରଶଂସା କରିଥାନ୍ତି । ଓଡିଶାରେ ବିଜୁ ପଟ୍ଟନାୟକଙ୍କ ଅନ୍ତେ ତାଙ୍କର ସୁପୁତ୍ର ଭାବେ ଶାସନ ଧାରାକୁ ଆସି ମୁଖ୍ୟମନ୍ତ୍ରୀ ଭାବେ ଜୟଯାତ୍ରା ଅବ୍ୟାହତ ରଖିଛନ୍ତି । ସଦା ଧୀର, ନମ୍ର ଓ ଅଳ୍ପ କହୁଥିବା ଏହି ସରଳ ଅମାୟିକ ବ୍ୟକ୍ତିତ୍ୱର ଶତମୁଖ ପ୍ରଶଂସା ସବୁଠାରେ ଆଲୋଚନା ହେଉଛି । ଏଭଳି ସ୍ଥିତିରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାକୁ ନେଇ ୮୩ ପ୍ରତିଶତ ଲୋକ ସନ୍ତୁଷ୍ଟ ଥିବା ସି-ଭୋଟର୍ସ ସର୍ଭେରୁ ଜଣାପଡିଛି । ଏହି ସର୍ଭେରୁ ଜଣାପଡିଛି ଯେ, ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଲିକାର ଶୀର୍ଷରେ ରହିଥିବା ବେଳେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ଭାଘେଲ ଓ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ମଧ୍ୟରେ ଥିଲା ଟକ୍କର । ସର୍ଭେ ଫଳ ଅନୁଯାୟୀ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ୮୨.୯୬ ପ୍ରତିଶତ ଭୋଟ ସହ ତାଲିକାର ପୁରା ଉପରେ ଥିବା ବେଳେ ତାଙ୍କ ତଳକୁ ରହିଛନ୍ତି ଛତଶଗଡର ମୁଖ୍ୟମନ୍ତ୍ରୀ ଶ୍ରୀ ବାଘେଲ, ଯାହାକୁ ୮୧.୦୬ ପ୍ରତିଶତ ଲୋକପ୍ରିୟତା ମିଳିଛି । ତୃତୀୟ ସ୍ଥାନରେ ୮୦.୨୮ ପ୍ରତିଶତ ଭୋଟ ପାଇଁ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ ତୃତୀୟ ସ୍ଥାନରେ ଅଛନ୍ତି । ସେହିଭଳି ତାଲିକାର ଚତୁର୍ଥ ସ୍ଥାନରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ୭୮.୦୧ ପ୍ରତିଶତ ଭୋଟ ପାଇଥିବା ବେଳେ ପଞ୍ଚମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୭୬.୫୨ ପ୍ରତିଶତ ଭୋଟ ପାଇଛନ୍ତି । ତାଲିକାର ଷଷ୍ଠରେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯାହାଙ୍କର ଭୋଟ ହେଉଛି ୭୪.୧୮ ପ୍ରତିଶତ । ସପ୍ତମରେ ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର(୭୩.୯୬) ଓ ଅଷ୍ଟମ ସ୍ଥାନରେ କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା (୬୭.୨୧) ଓ ତାଲିକାର ସର୍ବନିମ୍ନ ତାଲିକାରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଖଟ୍ଟର, ଉତ୍ତରଖାଣ୍ଡର ମୁଖ୍ୟମନ୍ତ୍ରୀ ପିଏସ୍ ରାୱତ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦ୍ର ସିଂ ରହିଛନ୍ତି । ଏଭଳି ତାଲିକା ଆସିବା ପରେ ସାରା ଦେଶରୁ ନବୀନଙ୍କ ପାଖକୁ ପ୍ରଶଂସାର ସୂଅ ଛୁଟିଥିବା ବେଳେ ସର୍ଭେ କରିଥିବା ଅନୁସନ୍ଧାନ ସଂସ୍ଥା ସି-ଭୋଟର୍ସ ଷ୍ଟେଟ୍ ଅଫ୍ ଦି ନେସନ ୨୦୨୦ ଏହାର ପ୍ରମାଣସିଦ୍ଧତା ନେଇ ଖବର ପ୍ରକାଶ କରିଛି । ସେହିଭଳି ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ଓଡିଶାବାସୀ ସର୍ବାଧିକ ସନ୍ତୁଷ୍ଟ ଥିବା ଦର୍ଶାଯାଇଛି । ବିଜେପି ଶାସିତ ରାଜ୍ୟଠାରୁ ଓଡିଶାରେ ମୋଦି ବେଶୀ ଗ୍ରହଣୀୟ ବୋଲି ଦର୍ଶାଯାଇଥିବା ବେଳେ ଓଡିଶାର ୯୫.୬ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି । ସାରା ଦେଶରେ ମୋଦିଙ୍କ କାର୍ଯ୍ୟକୁ ହାରାହାରି ୬୫.୬୯ ପ୍ରତିଶତ ସମର୍ଥନ ଦିଅନ୍ତି । ସେହିପରି ଓଡିଶା ପରେ ହିମାଚଳପ୍ରଦେଶ, ଛତିଶଗଡ, ଆନ୍ଧ୍ରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିକ ଗ୍ରହଣୀୟ । ହିମାଚଳରେ ୯୩.୯୫ ପ୍ରତିଶତ, ଛତିଶଗଡରେ ୯୨.୭୩ ପ୍ରତିଶତ, ଆନ୍ଧ୍ରରେ ୮୩.୬ ପ୍ରତିଶତ ଲୋକ ମୋଦିଙ୍କ ଉପରେ ଆସ୍ଥା ବିଶ୍ୱାସ କରିଛନ୍ତି । ଏକମାତ୍ର ତାମିଲନାଡୁ ଲୋକେ ମୋଦିଙ୍କ କାର୍ଯ୍ୟକୁ ସବୁଠୁ କମ୍ ଗ୍ରହଣ କରିଛନ୍ତି । କେବଳ ୩୨.୧୫ ପ୍ରତିଶତ ଲୋକ ସେଠାରେ ମୋଦିଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ପ୍ରକାଶ କରିଥିବା ବେଳେ କେରଳରେ ୩୨.୮୯ ପ୍ରତିଶତ ଲୋକ ମୋଦିଙ୍କୁ ଗ୍ରହଣ କରିଛନ୍ତି । ଏହାଛଡା ସମଗ୍ର ଦେଶରେ ମୋଦିଙ୍କ ପ୍ରଦର୍ଶନକୁ ୫୮.୩୬ପ୍ରତିଶତ ଲୋକ ସନ୍ତୁଷ୍ଟ ଥିବା ବେଳେ ୨୪.୦୪ପ୍ରତିଶତ ଲୋକ କିଛି ମାତ୍ରାରେ ସନ୍ତୁଷ୍ଟ, ୧୬.୭୧ପ୍ରତିଶତ ଲୋକ ଆଦୌ ସନ୍ତୁଷ୍ଟ ନୁହଁନ୍ତି । କିନ୍ତୁ ପଶ୍ଚିମବଙ୍ଗରେ ମୋଦିଙ୍କୁ ୬୪.୦୬ ପ୍ରତିଶତ ଲୋକ ପସନ୍ଦ କରୁଥିବା ବେଳେ କଂଗ୍ରେସର ରାହୁଲ ଗାନ୍ଧୀଙ୍କୁ ସମଗ୍ର ଦେଶରେ ମାତ୍ର ୨୩.୧୧ ପ୍ରତିଶତ ଲୋକ ପସନ୍ଦ କରନ୍ତି ।

Comments (0)
Add Comment