ପୁରୀ : ବ୍ରହ୍ମଗିରି ଅଲାରନାଥ ମନ୍ଦିରର ଉନ୍ନୟନ ପାଇଁ ୮ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନରେ ଓସୱାନ କନଫେରେନ୍ସ ହଲରେ ଭିଡିଓ କନଫେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅଲାରନାଥ ମନ୍ଦିର ଉନ୍ନୟନ ପ୍ରକଳ୍ପ ର ବ୍ଲୁ ପ୍ରିଣ୍ଟ କୁ ମନ୍ଦିର ଉନ୍ନୟନ କମିଟିର ସଦସ୍ୟ ମାନଙ୍କ ଉପସ୍ଥିତିରେ ଦେଖିଥିଲେ । ପ୍ରକଳ୍ପ ସମ୍ପର୍କରେ ଉନ୍ନୟନ କମିଟିର ମତାମତ ମଧ୍ୟ ପଚାରି ବୁଝିଥିଲେ । ମନ୍ଦିରର ଉନ୍ନୟନ, ଚତୁପାର୍ଶ୍ୱର ବିକାଶ, ସୌନ୍ଦର୍ଯ୍ୟ କରଣ,ଆଲୋକୀକରଣ ଇତ୍ୟାଦି ସମସ୍ତ ବ୍ୟବସ୍ଥାକୁ ପ୍ରକଳ୍ପରେ ସାମିଲ କରାଯାଇଥିବାରୁ ଉନ୍ନୟନ କମିଟିର ସଦସ୍ୟ ମାନେ ପ୍ରକଳ୍ପକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଅଲାରନାଥ ମନ୍ଦିର ପରିଦର୍ଶନ ପାଇଁ ଅନୁରୋଧ କରିଥିଲେ । ଖୁବ ଶୀଘ୍ର ଟେଣ୍ଡର ଓ ଅନ୍ୟାନ୍ୟ କାର୍ଯ୍ୟ ପରେ ମନ୍ଦିରର ଉନ୍ନୟନ କାର୍ଯ୍ୟ ଆରମ୍ଭ ହୋଇ ୧୨ ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଏହି ଭିଡିଓ କନଫେରେନ୍ସରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି କେ ପାଣ୍ଡିଆନ, ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ଅଲାରନାଥ ଉନ୍ନୟନ କମିଟି ସଭାପତି କୃଷ୍ଣଚନ୍ଦ୍ର ମାଝୀ, ସମ୍ପାଦକ ସୁରେନ୍ଦ୍ରନାଥ ସୁଆର,ଉପ ସଭାପତି ମଧୁସୂଦନ ପୂଜାପଣ୍ଡା ଓ ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ନିଜ ପ୍ରତିକ୍ରିୟାରେ ଅଲାରନାଥ ମନ୍ଦିରର ଉନ୍ନୟନ ପାଇଁ ସରକାରଙ୍କର ପଦକ୍ଷେପକୁ ସଦସ୍ୟ ମାନେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ପ୍ରଶଂସା କରିଥିଲେ ।