ସୁବର୍ଣ୍ଣପୁର : ଫେବୃୟାରୀ ୧ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସୁଥିବା ଜଣାଯାଇଛି l ଏହି ଦିନ ଦିବା ୧୦ଟା ସମୟରେ ସେ ସଦର ରାମେଶ୍ଵର ଷ୍ଟାଡିୟମରେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପହଞ୍ଚି ପ୍ରଥମେ ସ୍ଥାନୀୟ ବଡ଼ ଗୋପାଳ ଜୀ ମନ୍ଦିରରେ ୧୨ଟି ଦୁର୍ଲଭ ମୂର୍ତ୍ତି ଙ୍କୁ ଦର୍ଶନ କରିବେ ଯାହାକି ୪୨ ବର୍ଷ ତଳେ ଉକ୍ତ ୧୨ଟି ଦୁର୍ଲଭ ମୂର୍ତ୍ତି ଗୋପାଳଜୀ ମନ୍ଦିରରୁ ଦୁର୍ବତ୍ତମାନେ ଚୋରି କରିଥିଲେ। ଘଟଣାକ୍ରମେ ୧୯୯୩ ମସିହାରେ ଦିଲ୍ଲୀରେ ସିବିଆଇ ଉକ୍ତ ମୂର୍ତ୍ତି ସବୁ ଜବତ କରିଥିଲେ। ପରେ ସମସ୍ତ ମୂର୍ତ୍ତି ଭୁବନେଶ୍ଵର ସିବିଆଇ ମାଲଖାନାରେ ରହିଥିଲା। ଏବେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଉଦ୍ୟମରେ ଏହି ମୂର୍ତ୍ତିମାନେ ପୁନଃ ଉଦ୍ଧାର ହୋଇ ଗତ ୨୫ ତାରିଖରେ ଜିଲ୍ଲା କୋଷାଗାରରୁ ନଗର ପରିକ୍ରମା ସହ ଏକ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ଗୋପାଳଜୀ ମନ୍ଦିରକୁ ଉକ୍ତ ୧୨ଟି ମୂର୍ତ୍ତିମାନଙ୍କୁ ଆଣି ପୂଜାର୍ଚ୍ଚନା ପୂର୍ବକ ମନ୍ଦିର ବିଜେ ନୀତି କାର୍ଯ୍ୟକ୍ରମ କରାଯାଉଅଛି। ୧ତାରିଖରେ ପ୍ରଭୁ ଶ୍ରୀଶ୍ରୀ ଗୋପାଳଜୀ ସ୍ଵ ସିଂହାସନ ଆରୋହଣ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୋପାଳଜୀଙ୍କ ମୂର୍ତ୍ତୀ ଦର୍ଶନ କରିବାସହ ଆଶିର୍ବାଦ ନେବେ ପରେ ସୋନପୁର ବ୍ଲକ ସ୍ଥିତ ଭୀମଭୋଇଙ୍କ ସାଧନା ସିଦ୍ଧି ଓ ସମାଧି ପୀଠ ଖଲିଆପାଲିରେ ଚାଲିଥିବା ପବିତ୍ର ମାଘମେଳାରେ ପହଞ୍ଚି ପାଦୁକା ମନ୍ଦିର ଓ ଭୀମଭୋଇଙ୍କ ସମାଧି ଦର୍ଶନ କରି ଏକ ଦୁଇ କ୍ଵିଣ୍ଟାଲ ୧୨ କେଜି ବିଶିଷ୍ଟ ଏକ ଘଣ୍ଟିର ଉଦଘାଟନ କାର୍ଯ୍ୟକ୍ରମ ରହିଛି । ପରେ ସଦର ମହକୁମାକୁ ଆସି ସ୍ଥାନୀୟ ରାମେଶ୍ବର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ସୁଭଦ୍ରା ଶକ୍ତି ମେଳାକୁ ଉଦଘାଟନ କରିବେ ଓ ପରେ ଭୁବନେଶ୍ଵର ଫେରିଯିବେ l ମୁଖ୍ୟମନ୍ତ୍ରୀଙ୍କ ଏହା ସୁବର୍ଣ୍ଣପୁର ଜିଲ୍ଲା କୁ ଦ୍ବିତୀୟ ଗସ୍ତ ହୋଇଥିବା ବେଳେ ଏହି ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଚାଲିଛି । ଏହି ପରିପ୍ରେକ୍ଷିରେ ଗତ ମଙ୍ଗଳବାର ଦିନ ଅପରାହ୍ମ ୪ ଟl ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ସମାଧିପୀଠ ଟ୍ରଷ୍ଟ ର ଅଧ୍ୟକ୍ଷ ଡ. ନୃପରାଜ ସାହୁ ଖଲିଆପାଲି ସ୍ଥିତ ସମାଧୀପୀଠକୁ ପହଁଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି l ବୁଧବାର ପୁଣି ପ୍ରଶାସନିକ ଅଧିକାରୀ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତଥା ଭାରପ୍ରାପ୍ତ ଏସପି କେ .କେ ହରିପ୍ରସାଦ, ଡି ଆଇ ଭି ଡି ଏସ ପି ବୈକୁଣ୍ଠନାଥ ସେଠ, ଭାରପ୍ରାପ୍ତ ଏସ ଡି ପି ଓ ରେଣୁକା ସୁନା, ଲଛିପୁର ଥାନା ଅଧିକାରୀ ଯଯାତି କେଶରୀ ସାହୁ ଖଲିଆପାଲିକୁ ଆସି ସ୍ଥିତି ଅନୁଧ୍ୟାନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଏହିଗସ୍ତକୁ ସଫଳ କରିବା ପାଇଁ ଟ୍ରଷ୍ଟ ବୋର୍ଡ ସଭାପତି ଛତ୍ରଧାରୀ ଅଗ୍ରୱାଲ,ସମ୍ପାଦକ ଜନ୍ମେଜୟ ସ୍ବାଇଁ, ମାଘମେଳା କମିଟି ର ସଭାପତି ପୂର୍ଣ୍ଣଚନ୍ଦ୍ର ବଗର୍ତ୍ତୀ, ଅପର୍ଣ୍ଣା ଗ୍ରାମ୍ୟ କମିଟିର ସଭାପତି ମହାଦେବ ବଗର୍ତ୍ତିଙ୍କ ସହ ଆଲୋଚନା କରିଥିଲେ l