ଆଜି ରେକର୍ଡ ସଂଖ୍ୟାକ ୧୮୨ ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର : ଆଜି ସମ୍ବଲପୁର ଜିଲ୍ଲାରେ ରେକର୍ଡ ସଂଖ୍ୟାକ ୧୮୨ ଜଣ ନୂଆ ପଜିଟିଭ ଚିହ୍ନଟ ହେବା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫୨ରେ ପହଞ୍ଚିଛି । ଏହା ପୂର୍ବରୁ ଗତ ୧୦ ଅଗଷ୍ଟ ଦିନ ୧୬୮ ଜଣ ପଜିଟିଭ ଚିହ୍ନଟ ହୋଇ ରେକର୍ଡ କରିଥିଲା ଯାହାକି ଆଜି ଭାଙ୍ଗି ନୂତନ ରେକର୍ଡ ସୃଷ୍ଟି ହୋଇଛି । ଆଜି ସମଗ୍ର ରାଜ୍ୟରେ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାମାନଙ୍କ ମଧ୍ୟରେ ସମ୍ବଲପୁର ତୃତୀୟ ସ୍ଥାନରେ ରହିଛି, ଯାହାକି ନିଶ୍ଚିତ ରୂପେ ଚିନ୍ତାର ବିଷୟ । ଆଜିକାର ସ୍ଥିତି ଅନୁସାରେ ଜିଲ୍ଲାରେ ଏପର୍ଯ୍ୟନ୍ତ ୧୧ଜଣ ମୃତ ଓ ୧୩୪୯ଜଣ ସୁସ୍ଥହୋଇ ଘରବାହୁଡା ପରେ ବାକି ୧୦୯୨ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ଏହି ଜିଲ୍ଲାରେ ଗତକାଲି ଦୁଇ ଜଣ ପୁରୁଷ (୪୨ ଓ ୫୦ ବର୍ଷ) ଓ ଜଣେ ମହିଳା (୫୮ ବର୍ଷ) ଙ୍କ ମୃତ୍ୟୁ ହୋଇଛି ତଥା ଏହାକୁ ମିଶାଇ ଏପର୍ଯ୍ୟନ୍ତ ୧୧ ଜଣଙ୍କ ମୃତ୍ୟୁ ଘୋଷଣା କରାଯାଇଛି । ଏପରି ବିପର୍ଯ୍ୟୟ ଅବସ୍ଥାକୁ ନିୟନ୍ତ୍ରଣ ରେ ରଖିବା ପାଇଁ ମହାନଗର ନିଗମ ଅଂଚଳର ୨୭ ଟି ସ୍ଥାନୀୟ ସାହି ଓ ପଡ଼ାରେ ନିଷେଦ୍ଧାଜ୍ଞା ଧାରା ୧୪୪ ଜାରି କରାଯାଇଛି । ଏହି ନିଷେଦ୍ଧାଜ୍ଞା ଆଗାମୀ ଅଗଷ୍ଟ ୩୧ ତାରିଖ ସୋମବାର ପର୍ଯ୍ୟନ୍ତ ପ୍ରଭାବୀ ରହିବ ବୋଲି ସଦର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

Comments (0)
Add Comment