ସମ୍ବଲପୁର : ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୧୧୧ ଜଣ କରୋନା ପଜିଟିଭ ଚିହ୍ନଟ ସହିତ ଏହା ରାଜ୍ୟରେ ତୃତୀୟସ୍ଥାନ ହାସଲ କରିଛି ।
ଏହା ପୂର୍ବରୁ ବୁଧବାର ଦିନ ଏହି ସଂଖ୍ୟା ୭୮, ମଙ୍ଗଳବାର ୬୫ ଓ ସୋମବାର ୫୮ ଥିଲା ।
ଇତିମଧ୍ୟରେ ରାଜ୍ୟର ଖୋର୍ଦ୍ଧା ଓ କଟକ ପରି ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇଥିବା ସ୍ଥଳରେ ସମ୍ବଲପୁର ଜିଲ୍ଲାରେ ଏଥିରେ ଅହେତୁକ ବୃଦ୍ଧି ପ୍ରଶାସନ ସହିତ ଜନସାଧାରଣଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ମୋଟ ୧୧୭୮ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏଥିରେ ୧୮ ବର୍ଷରୁ ଅଳ୍ପାୟୁ ୧୪୬ ମଧ୍ୟ ସାମିଲ । ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୫୨, ତା’ପରେ ୧୯୪ ସଂକ୍ରମଣ ସଂଖ୍ୟା ସହିତ ସୁନ୍ଦରଗଡ଼ ଦ୍ୱିତୀୟ ସ୍ଥାନରେ, ୧୧୧ ସଂଖ୍ୟକ ସହିତ ସମ୍ବଲପୁର ତୃତୀୟ ସ୍ଥାନ ଓ ୧୦୪ ସହିତ କଟକ ଜିଲ୍ଲା ଚତୁର୍ଥ ସ୍ଥାନରେ ରହିଛନ୍ତି । ପ୍ରାପ୍ତ ପରିସଂଖ୍ୟାନ ଅନୁସାରେ ବର୍ତ୍ତମାନ କରୋନା ସଂକ୍ରମଣ ପଶ୍ଚିମ ଓଡ଼ିଶା ଆଡ଼କୁ ମୁହାଁଇଲା ପରି ଜଣାପଡ଼ୁଛି ।