ସୁବର୍ଣ୍ଣପୁର : କୋଭିଡ ମହାମାରୀର ତୃତୀୟ ଲହର ବା ଓମି୍କ୍ରିନ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ସାରା ଦେଶରେ କୋଭିଡ ବୁଷ୍ଟର ଡୋଜ ଟିକାକରଣକୁ ଆରମ୍ଭ କରାଯାଇଥିବା ବେଳେ ସୁବର୍ଣ୍ଣପୁର ଜ଼ିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମଧ୍ୟ ଏହି ଅଭିଯାନ ଆରମ୍ଭ ହୋଇଛି । ଏହି ବୁଷ୍ଟର ଡୋଜ ଟିକାକରଣର ଅଭିଯାନରେ ମେଡିକାଲ ଟିକାଦାନ କେନ୍ଦ୍ରରେ ଆଜି ପ୍ରଥମ ଦିନ ୨୦୦ ଜଣ ସ୍ଥାନୀୟ କରୋନା ଯୋଦ୍ଧା ଡାକ୍ତର, ସେବିକା, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ସୁଯୋଗ ମିଳିଥିବା ବେଳେ ୧୫ ରୁ ୧୮ ବର୍ଷୀୟ ଯୁବକ ଯୁବତୀଙ୍କ ପାଇଁ ଟିକା ଭଣ୍ଡାର କୋଠା ଉପରେ ପ୍ରଥମ ଡୋଜ ଭ୍ୟାକ୍ସିନ ଦିଆଯାଉଛି । ସେହିପରି ୬୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ପାଇଁ ଜ଼ିଲ୍ଲା ସଂସ୍କୃତି ଭବନର ଏକ ସ୍ୱତନ୍ତ୍ର ସେଲରେ ଟିକାକରଣ କରାଯାଉଥିବା ବେଳେ ସେଠାରେ ଅନ୍ୟ ଏକ ଟିକା କେନ୍ଦ୍ରରେ ୧୮ ରୁ ଊର୍ଦ୍ଧ୍ୱ ସାଧାରଣ ବର୍ଗର ଲୋକ ଓ ସବୁ ଶ୍ରେଣୀର କୋଭିଡ ଯୋଦ୍ଧାଙ୍କ ପାଇଁ ଖୋଲା ଯାଇଛି । ଖୁବ ଶୀଘ୍ର ଜ଼ିଲ୍ଲାର ତଥା ଆଗଧାଡିର ଯୋଦ୍ଧା ଗଣମାଧ୍ୟମଙ୍କ ସମେତ ପୋଲିସ, ଅଗ୍ନିଶମ ବାହିନୀ, ପୌର ପରିଷଦ ବିଭାଗ କର୍ମଚାରୀଙ୍କୁ ଏହି ଟିକା କରଣର ସ୍ୱତନ୍ତ୍ର ସୁବିଧା ଦିଆଯିବ ବୋଲି କୋଭିଡ ଭ୍ୟାକ୍ସିନ ପରିଚାଳକ ପ୍ରମୋଦ ସାହୁ ପ୍ରକାଶ କରିଛନ୍ତି ।