ଭୁବନେଶ୍ୱର : ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଅଳସୁଆ ତଥା ମଠୁଆ ପୁଲିସଙ୍କ ପାଇଁ ଆଜି ଚେତାବନୀ ଶୁଣାଇଛନ୍ତି । ସେ କହିଛନ୍ତି ଯେ, କମିଶନରେଟ ପୁଲିସରେ କାର୍ଯ୍ୟରତ ସବୁ ପୁଲିସ କର୍ମଚାରୀଙ୍କୁ ଫିଟନେସ୍ ରହିବାକୁ ପଡିବ । ଏ ନେଇ କମିଶନର ଶ୍ରୀ ଷଡଙ୍ଗୀ ଟାର୍ଗେଟ୍ ଦେଇ ୩ସପ୍ତାହ ମଧ୍ୟରେ ନିଜକୁ ଫିଟ୍ କରାଇବା ପାଇଁ ପରାମର୍ଶ ଦେଇଛନ୍ତି । କମିଶନର କହିଛନ୍ତି ଆସନ୍ତା ୧ ସପ୍ତାହ ମଧ୍ୟରେ ସବୁ ପୁଲିସ କର୍ମଚାରୀଙ୍କ ଉଚ୍ଚତା ଓ ଓଜନ ମାପ ହେବ । ସବୁ କର୍ମଚାରୀଙ୍କୁ ସେମାନଙ୍କର ବଡିମାସ ଇନ୍ଡେକ୍ସ ଲିଖିତ ଭାବେ ଦିଆଯିବ । ବୟସ, ଉଚ୍ଚତା ଅନୁସାରେ ଓଜନ କେତେ ହେବା କଥା ତାହା କୁହାଯିବ । ୧୯ରୁ ୨୫ ଯାଏଁ ବିଏମ୍ଆଇ ସ୍ୱାଭାବିକ, ୩୦ ହେଲେ ମେଦବହୁଳତା ଧରାଯିବ । ଓଜନ ଓ ବିଏମ୍ଆଇ ପ୍ରଦାନ କାର୍ଯ୍ୟ ଚଳିତ ମାସ ୩୦ ତାରିଖ ମଧ୍ୟରେ ଶେଷ କରାଯିବା ପରେ ୩ମାସ ପରେ ଅର୍ଥାତ ନଭେମ୍ବର ମାସରେ ପୁଣି ସମସ୍ତଙ୍କର ଓଜନ ନିଆଯିବ । ସେମାନେ ଓଜନ କମାଇବାକୁ କେତେ ଚେଷ୍ଟିତ ତାହା ପରଖାଯିବ । ଯାହାର ବିଏମ୍ଆଇ ୩୦ ଉପରେ ଥିବ ସେମାନେ ବାଧ୍ୟତାମୂଳକ ଭାବେ ବ୍ୟାୟମ କରିବେ ଓ ବାଧ୍ୟତାମୂଳକ ବ୍ୟାୟମ ସହ ୬ ସପ୍ତାହ ମଧ୍ୟରେ ରିଫ୍ରେସର କୋର୍ସ କରିବେ । ଯେଉଁମାନେ ଆଦେଶକୁ ଗୁରୁତ୍ୱ ଦେବେନି ସେମାନଙ୍କର ଇନ୍କ୍ରିମେଣ୍ଟ ବନ୍ଦ ସହିତ କାର୍ଯ୍ୟାନୁଷ୍ଠାନ ନିଆଯିବ କମିଶନର ଚେତାଇ ଦେଇଛନ୍ତି ।