ଚୌଦ୍ୱାର ସର୍କଲ ଜେଲରେ ଅଭିଯୁକ୍ତ ବର ଓ ପୀଡିତା କନ୍ୟାଙ୍କ ଶୁଭବିବାହ

କଟକ,୧୨/୮: ଆଜି କଟକ ଜିଲ୍ଲା ଚୌଦ୍ୱାର ମଣ୍ଡଳ କାରାଗାର ରେ ୩ୟ ଥର ଲାଗି ହିନ୍ଦୁ ଧର୍ମ ରୀତି ନୀତି ଅନୁଯାୟୀ ଶୁଭ ବିବାହ କାର୍ଯ୍ୟକ୍ରମ ଚୌଦ୍ୱାର ସର୍କଲ ଜେଲ ସଭାଗୃହରେ ବ୍ରାହ୍ମଣ ବେଦପାଠ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ବିବାହ ପାଇଁ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ (ପୋକ୍ସ କୋଟ)ଙ୍କ ନିର୍ଦ୍ଦେଶ ଅନୁଯାୟୀ ହୋଇଥିଲା । ମଣ୍ଡଳ କାରାଗାର ଚୌଦ୍ୱାରର ବରିଷ୍ଠ ଅଧିକ୍ଷକ, ଜେଲର, ୱେଲଫେୟାର ଅଫିସର, ଜେଲ କର୍ମଚାରୀ ଓ ଉଦ୍ଧାର ଫାଉଣ୍ଡେସନ ସଂଗଠନର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିଚାରଧୀନ ଅଭିଯୁକ୍ତ ଅଂଶୁମାନ ମଲ୍ଲିିକ ଓ ପୀଡିତା ଚିନ୍ମୟୀ ସେଠୀଙ୍କ ମଧ୍ୟରେ ଶୁଭ ବିବାହ କାର୍ଯ୍ୟକ୍ରମ ସଂପନ୍ନ ହୋଇଯାଇଛି । ଏହି ଶୁଭ ବିବାହରେ ଉଭୟ ପକ୍ଷ ପିତାମାତା, ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ଉଦ୍ଧାର ଫାଉଣ୍ଡେସନ ର କର୍ମକର୍ତାମାନେ ବିବାହର ରୀତିନୀତି ଅନୁଯାୟୀ ବର ଓ କନ୍ୟା ଙ୍କୁ ମେହେନ୍ଦି ରଶମ କରି ସଜାଇ ଦେଇଥିଲେ । ସୁସଜ୍ଜିତ ଉଭୟ ବର ଓ କନ୍ୟାଙ୍କୁ ବେଦିକୁ ନିଆଯାଇଥିଲା । ହିନ୍ଦୁ ଧର୍ମ ବୈଦିକ ରୀତି ନୀତି ଅନୁଯାୟୀ ବ୍ରାହ୍ମଣଙ୍କ ବେଦ ପାଠ ଦ୍ୱାରା ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା । ବର ଓ କନ୍ୟା ନିଜର ବିବାହ ସ୍ମୃତି ଉଦ୍ଦେଶ୍ୟରେ ଚୌଦ୍ୱାର ଜେଲ ପରିସରରେ ନିଜ ହାତରେ ଏକ ବୃକ୍ଷ ରୋପଣ କରିଥିଲେ । ଆଇନଜୀବୀଙ୍କ ଦ୍ୱାରା ଉଭୟ ପକ୍ଷ ନିଜର ବିବାହ ଘୋଷଣାନାମା ସ୍ୱାକ୍ଷର କରିଥିଲେ । ଏହି ଶୁଭ ବିବାହ ସଂପୂର୍ଣ୍ଣ କୋଭିଡ ନିୟମ ଅନୁଯାୟୀ ମାକ୍ସ, ସାନିଟାଇଜର ଓ ସାମାଜିକ ଦୂରତା ମାନି ହୋଇଥିଲା । ବୋହୁକୁ ଶ୍ୱଶୁର ଓ ନଣଦ ଖୁସିରେ ଘରକୁ ନେଇ ଫେରିଥିଲେ । ଏହି ଶୁଭ ବିବାହ କାର୍ଯ୍ୟକ୍ରମରେ ଚୌଦ୍ୱାର ମଣ୍ଡଳ କାରାଗାର ଅଧିକ୍ଷକ ସତ୍ୟପ୍ରକାଶ ସ୍ୱାଇଁ ,ଜେଲର ବିଭେନ୍ଦୁ ଭୂଇଁଆ ,ଓଲଫେୟାର ଅଫିସର ରାମକୃଷ୍ନ ଦାସ, ମାୟାଧର ସେଠୀ ଉଦ୍ଧାର ଫାଉଣ୍ଡେସନ ସଂଗଠନର ସଭାପତି ନରୋତ୍ତମ ଦାସ, ବରିଷ୍ଠ ଉପଦେଷ୍ଟା କିରଣବାଳା ନାୟକ, ଗୋଲାପ ସିଂ, ଶିବାନନ୍ଦ ବାରିକ, ଦିଲୀପ ସାହୁ, ସଂଜୀବ ନାୟକ, ସରୋଜ ସାହୁ, ସୋମ୍ୟ ରଞ୍ଜନ ଅମାତ, ସେକ ଅଜମତ, ପ୍ରତୀକ୍ଷା ସାହୁ, ସତ୍ୟଜିତ ସାମନ୍ତରାୟ,ବିନୋଦ କୁମାର ପ୍ରଧାନ, ବିଶ୍ୱଜିତ ଓଝା, ସତ୍ୟ ପ୍ରକାଶ ମଲ୍ଲିକ, ସତ୍ୟବ୍ରତ ବେହେରା, ଅଭିଷେକ ସାହୁ ଓ ସାଇକ୍‌ଲୋନି ସାହୁ ପ୍ରମୁଖ ଉପସ୍ଥିତ ରହି ବିବାହ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରାଇଥିଲେ ।

Comments (0)
Add Comment