ବୌଦ୍ଧ:ସରକାରଙ୍କ ବିଭିନ୍ନ ଯୋଜନାର କିଭଳି ରୂପାୟନ କରାଯାଉଛି ତାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲାରେ । କାଳିଆ ଯୋଜନାର ହିତାଧିକାରୀ ତାଲିକାରୁ ବଞ୍ଚିତ ହୋଇଥିବା କଣ୍ଟାମାଳ ବ୍ଲକ ବିଳାସପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାକ୍ଷସକୁଟି ଗ୍ରାମର କଳାବତୀ ସନ୍ୟାସୀ ଜୀବିତ ଥିବା ସତ୍ତ୍ୱେ ତାଙ୍କୁ ମୃତ ଦର୍ଶାଇ କାଳିଆର ହିତାଧିକାରୀରୁ ବାଦ୍ ଦିଆଯାଇଥିବା ଅଭିଯୋଗ ହୋଇଛି । ବାରମ୍ବାର ଆବେଦନ ସତ୍ତ୍ୱେ ସେ ମୃତ ଥିବା ଦର୍ଶାଇ ତାଙ୍କର ସମସ୍ତ ଆବେଦନପତ୍ରକୁ ନାକଚ କରୁଛନ୍ତି ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀମାନେ ।
ଅନଲାଇନ ମାଧ୍ୟମରେ ସେ ଶେଷଥର ତା୮/୧୨/୨୦୧୯ରେ ଆବେଦନ କରିଥିଲେ କାଳିଆ ଯୋଜନାର ହିତାଧିକାରୀ ଭାବରେ ଅନ୍ତର୍ଭୁକ୍ତ ହେବାପାଇଁ । ବ୍ଲକ ଓ ଜିଲ୍ଲା ନୋଡାଲ ଅଫିସର ତାଙ୍କର ଆବେଦନକୁ ତଦନ୍ତ ପାଇଁ ଗ୍ରାମସେବକଙ୍କୁ ଦେଇଥିଲେ ଓ ଗ୍ରାମସେବକ ତା୭/୨/୨୦୨୦ରିଖରେ ରିପୋର୍ଟ ପ୍ରଦାନ କରିଥିଲେ । କଳାବତୀ ସନ୍ନ୍ୟାସୀ ମୃତ ବୋଲି ତଦନ୍ତ ରିପୋର୍ଟ ଆସିବାପରେ ପୁଣି ତାଙ୍କ ଆବେଦନକୁ ତା ୧୯/୨/୨୦୨୦ରିଖରେ ନାକଚ କରିଦିଆଯାଇଥିଲା । ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ଆବେଦନପତ୍ର ନାକଚ ହେବାର କାରଣ ଅଧିକାରୀମାନେ ଆବେଦନକାରୀ ମୃତ ଥିବା ନିଜ ମନ୍ତବ୍ୟରେ ଦର୍ଶାଇଛନ୍ତି । ଜଣେ ଜୀବିତ ବ୍ୟକ୍ତିଙ୍କୁ କେଉଁ ଆଧାରରେ ସରକାରୀ ତଦନ୍ତ ମୃତ କହୁଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରୁଛି । ଏ ଦିଗରେ ବ୍ଲକ ଓ ଜିଲ୍ଲା ପ୍ରଶାସନ ଅଧିକ ତଦନ୍ତକରି ପଦକ୍ଷେପ ନେବାପାଇଁ ଜନସାଧାରଣରେ ଦାବି ହେଉଛି ।