ଦାଦନ ଖଟି ଯାଇଥିଲେ ଶବ ହୋଇ ଫେରିଲେ

ବୌଦ୍ଧ : ହରଭଙ୍ଗା ବ୍ଲକ୍ ତିଲେଶ୍ୱର ନିକଟସ୍ଥ ବୁରୁବୁଡା ଗ୍ରାମର ବିଚ୍ଛନ୍ଦ ଡଙ୍ଗୀ (୨୪ ବର୍ଷ)କାମ ଧନ୍ଦା ଓ ରୋଜଗାର ଅନ୍ୱେଷଣରେ ଗୁଜୁରାଟ ରାଜ୍ୟର ଜାମନଗରକୁ ପତ୍ନୀ ଅମ୍ବିକାଙ୍କ ସହ ଯାଇଥିବା ବେଳେ ଗତକାଲି ଶବ ହୋଇ ଗାଆଁକୁ ଫେରିଥିବା ଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ବୁରୁବୁଡା ଗ୍ରାମର ବିଚ୍ଛନ୍ଦ ଡଙ୍ଗୀ ୯ ମାସ ତଳେ କାମଧନ୍ଦା ଅନ୍ୱେଷଣରେ ନିଜ ପତ୍ନୀଙ୍କ ସହ ଗୁଜୁରାଟ ରାଜ୍ୟର ଜାମନଗରକୁ ଯାଇଥିଲେ । ପିତ୍ତଳ ନୋଜଲ୍ ତିଆରି କରୁଥିବା ଓମ୍ ବ୍ରାସ ନାମକ ଗୋଟିଏ କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ । ସବୁ ଠିକ୍ ଠାକ ଚାଲିଥିବା ବେଳେ ଗତ ୪ ତାରିଖ ଦିନ ହଠାତ୍ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ନିକଟସ୍ଥ ଗୋଟିଏ ସରକାରୀ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଂକର କୋଭିଡ ପରୀକ୍ଷା କରାଯାଇ କୋଭିଡ ଡାକ୍ତରଖାନାକୁ ପଠାଯାଇଥିଲା । ତାଙ୍କର କୋଭିଡ ପରୀକ୍ଷା ନେଗେଟିଭ ଆସିଥିଲେ ସୁଦ୍ଧା ୬ ତାରିଖ ଦିନ ୨ ଘଣ୍ଟା ସମୟରେ ପରଲୋକ ହୋଇ ଯାଇଥିଲା । ସେଠାରୁ ୨୫ ହଜାର ଟଂକା ଭଡାରେ ଗୋଟିଏ ଆମ୍ବୁଲାନସରେ ସ୍ୱାମୀଙ୍କ ଶବ ଧରି ଅମ୍ବିକା ଗତକାଲି ବୁରୁ ବୁଡାରେ ପହଞ୍ଚିଥିଲେ । ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି । ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟଙ୍କୁ ହରାଇ ମ୍ରିୟମାଣ ହୋଇ ପଡିଛନ୍ତି । ମୃତକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

Comments (0)
Add Comment