ରାୟଗଡାରୁ ଦାଦନ ଖଟିବାକୁ ଯାଇଥିବା ଯୁବତୀ ନିଆଁରେ ଜଳିଗଲେ,ଶବ ଆଣିବାକୁ ବାପା’ମା ସୁନା ବନ୍ଧା କରି ପଠେଇଲେ ୩୦ହଜାର ଟଙ୍କା

ରାୟଗଡା : ଦାଦନ ଖଟିବାକୁ ଯାଇଥିବା ଜଣେ ଯୁବତୀ ନିଆଁରେ ଜଳିଯିବା ପରେ ମୃତ୍ୟୁବରଣ କରିଛନ୍ତି । ତେବେ ଶବ ପଠାଇବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ କୈାଣସି ବ୍ୟବସ୍ଥା ନ କରିବାରୁ ବାପା’ମା ନିଜ ସୁନା ବନ୍ଧା ରଖି ୩୦ହଜାର ଟଙ୍କା ସଂଗ୍ରହ କରି ପଠେଇବା ପରେ ସୁଦୂର ତାମିଲନାଡୁରୁ ଫେରୁଛି ଯୁବତୀର ଶବ । ମୃତ ଯୁବତୀ ଜଣକ ହେଲେ ଲକ୍ଷ୍ମୀ ମାଣ୍ଡାଙ୍ଗି (୨୯) । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଳା ସଦର ବ୍ଳକ ପିପଲଗୁଡା ଗ୍ରାମରେ । ସୂଚନା ଯୋଗ୍ୟ ଯେ, ପିପିଲଗୁଡା ଗ୍ରାମର ପାତ୍ର ମାଣ୍ଡାଙ୍ଗିଙ୍କ ଝିଅ ନିଜ ଭାବିସ୍ୱାମୀ ଗିରିଧର ପୁଆଲାଙ୍କ ସହ ଗତ ନଭେମ୍ବର ମାସରେ ତାମିଲନାଡୁ ରାଜ୍ୟର ତ୍ରିପୁର ଜିଲ୍ଳାର କୁନ୍ତୁର ଠାରୁ ପେନ୍ଦୁରାଇ ଯିବା ରାସ୍ତାର ୧୬-ଭେଲମ ପାଲାୟମ ନିକଟ ଉଥୁକୁଲି ଠାରେ ଥିବା ମଂଚେଷ୍ଟର ଟେକ୍ଟଟାଇଲ ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ ଥିବା ଏକ ସୂତାକଳରେ ଦାଦନ ଶ୍ରମିକ ଭାବେ ଖଟିବା ପାଇଁ ଯାଇଥିଲେ । ତେବେ ଗତ ମାସ ଜାନୁୟାରୀ ୨୫ତାରିଖରେ କୈାଣସି କାରଣବଶତଃ ତାଙ୍କ ଦେହରେ ନିଆଁ ଲାଗି ଯାଇଥିବା ବେଳେ ତାଙ୍କୁ କମ୍ପାନୀ ପକ୍ଷରୁ ଉଚ୍ଚ ଚିକିତ୍ସା କରା ନ ଯାଇ ନିକଟସ୍ଥ ଏକ ମେଡିକଲରେ ଭର୍ତ୍ତି କରାଯାଇଥିଲା । ଏ ନେଇ ଗିରିଧର ଯୁବତୀ ଲକ୍ଷ୍ମୀର ପରିବାରଙ୍କୁ ଜଣାଇଥିଲେ । ହଠାତ୍‌ ଏତେ ଦୂର ଯିବା ତାଙ୍କ ପକ୍ଷେ ସମ୍ଭବ ହୋଇ ପାରି ନ ଥିବାରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଚିକିତ୍ସା ଯୋଗାଇ ଦେବାରେ ସାହାର୍ଯ୍ୟ କରିବା ପାଇଁ ଗିରିଧରକୁ କହିଥିଲେ । ତେବେ କମ୍ପାନୀ କର୍ତ୍ତୃପକ୍ଷ କୌଣସି ସହାୟତା ଦେଇ ନ ଥିବା ବେଳେ ଦୀର୍ଘ ୧୧ଦିନ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଗତ ଦୁଇ ଦିନ ତଳେ ଫେବୃଆରୀ ୫ତାରିଖରେ ସେ ମୃତ୍ୟୁବରଣ କରିଥିଲେ । ତେବେ ତାଙ୍କ ସହିତ ରହୁଥିବା ଭାବିସ୍ୱାମୀ ଗିରିଧରଙ୍କ ମଧ୍ୟ ଆର୍ଥିକବସ୍ଥା ସ୍ୱଚ୍ଛଳ ନ ଥିବାରୁ ସେ ମଧ୍ୟ କୈାଣସି ପ୍ରକାର ବନ୍ଦୋବସ୍ତ କରି ପାରି ନ ଥିବା ଜଣାପଡିଛି । ବର୍ତ୍ତମାନ ମୃତ ଲକ୍ଷ୍ମୀଙ୍କ ବାପା’ମା ୩୦ହଜାର ଟଙ୍କା ପଠାଇଥିବାରୁ ଏକ ଗାଡି ସାହାଯ୍ୟରେ ଲକ୍ଷ୍ମୀଙ୍କ ଶବକୁ ଗାଁ ଅଭିମୁଖେ ଅଣାଯାଉଥିବା ନେଇ ବାପା ପାତ୍ର ମାଣ୍ଡାଙ୍ଗି ପ୍ରକାଶ କରିଛନ୍ତି । ଏଥିସହ ଜିଲ୍ଳା ପ୍ରଶାସନ ଓ ଶ୍ରମ ବିଭାଗ ଗରୀବ ପରିବାରକୁ ସାହାଯ୍ୟ କରିବା ପାଇଁ ସଂପର୍କୀୟ ଓ ଗ୍ରାମବାସୀମାନେ ନିବେଦନ କରିଛନ୍ତି । ତେବେ ରାୟଗଡା ଭଳି ଉପାନ୍ତ ଅଂଚଳରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଲାଗି ରହୁଥିବା ବେଳେ ଜିଲ୍ଳା ପ୍ରଶାସନ ତଥା ଶ୍ରମ ବିଭାଗ ପକ୍ଷରୁ କୈାଣସି ସ୍ଥାୟୀ ବନ୍ଦୋବସ୍ତ କରାଯାଉ ନ ଥିବାରୁ ଗରୀବ ଶ୍ରମିକ ଶ୍ରେଣୀର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ମୃତ ଲକ୍ଷ୍ମୀଙ୍କ ମାମଲାରେ କମ୍ପାନୀ କର୍ତ୍ତୃପକ୍ଷ କରିଥିବା ଅବହେଳା ଓ ଅଣଦେଖାକୁ ଦୃଢ ନିନ୍ଦା କରି କମ୍ପାନୀ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରମିକ ନେତା ତଥା ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର ରାଜ୍ୟ ସଭାପତି ଓ ବିଏମଏସର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଇନଜୀବି ଅରୁଣ କୁମାର ଲେଙ୍କା ଦାବି କରିଛନ୍ତି ।

Comments (0)
Add Comment