ମନରେଗାରେ ମିଳୁନି କାମ! ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ବାହାରିଲେଣି ପ୍ରବାସୀ, ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା

ଦାରିଙ୍ଗବାଡି,୧୩/୧୦: କରୋନା ପାଇଁ ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟ ସରକାର ନିଜ ନିଜ ଅଞ୍ଚଳକୁ ଫେରାଇ ଆଣିବା ସହ ସେମାନଙ୍କୁ ମନରେଗା ଯୋଜନାରେ କାମ ଦେବା ପାଇଁ ପ୍ରତିଶ୍ରୁତି ଦେବା ସହ ଜିଲ୍ଲା ତଥା ବ୍ଲକ ପ୍ରଶାସନକୁ ପ୍ରବାସୀଙ୍କୁ କାମ ଯୋଗାଇ ଦେବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ହେଲେ ସରକାରଙ୍କ ନିର୍ଦ୍ଦେଶ ଖାଲି କାଗଜ କଲମରେ ରହିଲା ଭଳି ମନେ ହେଉଛି । ପ୍ରବାସୀ ଗାଁକୁ ଫେରିବା ପରେ କାମନପାଇ ବେକାର ହୋଇ ରହିଛନ୍ତି । ପରିବାର ପ୍ରତିପୋଷଣରେ ବହୁ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ଦାରିଙ୍ଗବାଡି ବ୍ଲକ ବୁଡାଗୁଡା ପଂଚାୟତ ଡେଡିମାହା ଗ୍ରାମରେ । ଏହି ଗ୍ରାମରେ ୫୦ ରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ ଗ୍ରାମରେ କାମ ନମିଳିବାରୁ ଗ୍ରାମର ଅଧିକାଂଶ ଲୋକ ନିଜ ପରିବାରକୁ ପ୍ରତିପୋଷଣ କରିବା ନିମନ୍ତେ କିଏ କେରଳ ତ ଆଉ କିଏ ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଭଳି ରାଜ୍ୟକୁ ଯାଇ କାମ କରି ନିଜ ପରିବାରର ପ୍ରତିପୋଷଣ କରୁଥିଲେ । ଗତ ମାର୍ଚ୍ଚ ମାସରେ କରୋନା ପ୍ରଭାବରେ ଲୋକଙ୍କୁ କରୋନାରୁ ସୁରକ୍ଷିତ ରଖିବାପାଇଁ ରାଜ୍ୟ ସରକାର ପ୍ରବାସୀ ଓଡ଼ିଆମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ସହ ମନରେଗା ଯୋଜନାରେ କାମ ଯୋଗାଇ ଦେବାକୁ ନିର୍ଭର ପ୍ରତିଶୃତି ଦେଇଥିଲେ । ହେଲେ ପ୍ରବାସୀଙ୍କୁ ରାଜ୍ୟ ସରକାର ଗାଁ କୁ ସିନା ଫେରାଇ ଆଣିବାରେ ସକ୍ଷମ ହେଲେ କିନ୍ତୁ ସେମାନଙ୍କୁ କାମ ଯୋଗାଇବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ପ୍ରବାସୀ ଶ୍ରମିକ ବିରାଜ ଚନ୍ଦ୍ର ପ୍ରଧାନ,ରମାକାନ୍ତ ପ୍ରଧାନ,କାଶିଆନ ମଲିକ,ଲାଣ୍ଡି ପ୍ରଧାନ,ଋତୁ ମଲିକ,ସାଧୁ ମଲିକ,ନରବେତ ମଲିକ,ପ୍ରଶାନ୍ତ ପ୍ରଧାନ, ବାସୁଦେବ ମଲିକ,ଜେବଦ ମଲିକ ଭଳି ଅନେକ ପ୍ରବାସୀ ଅଭିଯୋଗ କରିଛନ୍ତି । ପଂଚାୟତରେ କାମ ପାଇଁ ବାରମ୍ବାର କହିବା ପରେ ମଧ୍ୟ କାମ ନମିଳିବାରୁ ଗ୍ରାମର କିଛି ଗ୍ରାମବାସୀ ଦାରିଙ୍ଗବାଡି ବ୍ଲକ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ତ୍ରିନାଥ ନାୟକଙ୍କୁ ଅଭିଯୋଗ କରିଥିଲେ । ଆଜିକୁ ଚାରି ମାସ ହେବ କାମ ନପାଇ ବହୁ ପରିବାର ପ୍ରତିପୋଷଣରେ ସମସ୍ୟା ହେଉଥିବା ଅଧିକାରୀଙ୍କୁ ଜଣାଇଥିଲେ । ଯଦି ପ୍ରବାସୀଙ୍କୁ ଯଥାଶୀଘ୍ର ସଠିକ ଭାବେ କାମ ଯୋଗାଇ ନଦିଆଯାଏ ତାହାହେଲେ ପୁଣି ବାଧ୍ୟ ହୋଇ ରାଜ୍ୟ ବାହାରକୁ କାମ କରିବାକୁ ଯିବେ ବୋଲି ପ୍ରବାସୀ ମତପ୍ରକାଶ କରିଛନ୍ତି । ଦାରିଙ୍ଗବାଡି ବିଡ଼ିଓ ଅଭିମନ୍ୟୁ ବେହେରାଙ୍କୁ ପଚାରିବାରୁ ସେ କହିଲେ ଲୋକଙ୍କୁ କିପରି କାମ ଯୋଗାଇ ଦିଆଯିବ ସେନେଇ ସ୍ଥାନୀୟ ଯନ୍ତ୍ରୀଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରାହେବ ବୋଲି କହିଥିଲେ ।

Comments (0)
Add Comment