ସୁନାପାଙ୍ଗା ଗ୍ରାମକୁ ବିଜୁ ସେତୁ ସାତସପନ, ନଦୀ ପାର ପାଇଁ ବିଦ୍ୟୁତ ତାର ଓ କାଠ ଗଣ୍ଡି ଭରସା

ଦାରିଙ୍ଗବାଡି,୨୧/୧୦: ପାଦେ ପାଦେରେ ବିପଦ । ମରଣକୁ ବରଣ କରି ନଦୀ ଉପରେ ବିଦ୍ୟୁତ ତାର ଓ କାଠ ଗଣ୍ଡି ଉପରେ ଯାତାୟାତ କରୁଛନ୍ତି ଗ୍ରାମବାସୀ । ବର୍ଷା ଦିନଗୁଡ଼ିକରେ ନଦୀ ନାଳ ଦ୍ୱାରା ଜଳ ବନ୍ଦୀ ପାଲଟୁଥିବା ଦୁର୍ଗମ ଅଞ୍ଚଳବାସୀଙ୍କ ପାଇଁ ରାଜ୍ୟ ସରକାର ବିଜୁ ସେତୁ ଯୋଜନା କରିଛନ୍ତି । କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଂଚାୟତର ସୁନାପାଙ୍ଗା ଗ୍ରାମବାସୀଙ୍କ ପାଇଁ ବିଜୁ ସେତୁ ପାଲଟିଛି ସାତ ସପନ । ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ୧୧ନମ୍ବର ୱାର୍ଡ ସୁନାପାଙ୍ଗା ଗ୍ରାମ । ଗ୍ରାମବାସୀଙ୍କୁ ଦାଉ ସାଜିଛି ଖଡ଼ଗ ନଦୀ ।ବର୍ଷା ଆସିଲେ ଚିନ୍ତା ମାଡିବସେ ଗ୍ରାମବାସୀଙ୍କୁ । ଡାକ୍ତରଖାନାଠାରୁ ଆରମ୍ଭକରି ବ୍ଲକ ମୁଖ୍ୟାଳୟ ରାସନ ସାମଗ୍ରୀ ଆଣିବା ,ଛାତ୍ରଛାତ୍ରୀମାନେ ସ୍କୁଲ କଲେଜ ଯିବା ଆସିବା ପାଇଁ ନଦୀ ଉପରେ ୨ଟି ସ୍ଥାନରେ ୨ଟି ଲେଖାଏଁ କାଠ ଗଣ୍ଡି ପକାଇ ଯିବାଆସିବା କରୁଛନ୍ତି । ବର୍ଷା ଅଧିକ ହେଲେ କାଠ ଗଣ୍ଡି ଗୁଡ଼ିକ ପାଣିରେ ବୁଡ଼ିଗଲେ ଗ୍ରାମବାସୀ ମାନେ ନଦୀର ଅନ୍ୟ ଏକ ସ୍ଥାନରେ ନଦୀର ଉଭୟ ପାର୍ଶ୍ୱରେ ଥିବା ୨ଟି ଗଛରେ ବିଦ୍ୟୁତ ତାର ବାନ୍ଧି ସେଥିରେ ମରଣକୁ ବରଣ କରି ବିପଦ ସଂକୁଳ ଅବସ୍ଥାରେ ଛାତ୍ରଛାତ୍ରୀଙ୍କସମେତ ଗ୍ରାମବାସୀମାନେ ଯିବାଆସିବା କରୁଥିବା ଦେଖିବାକୁ ମିଳିଛି । ନଦୀ ଉପରେ ପୋଲନଥିବା କାରଣରୁ ଗତ୨୦୨୦ ସେପ୍‌ଟେମ୍ବର ୧୮ତାରିଖରେ ଏହି ଗ୍ରାମର ବିଶିକେଶନ ନାୟକ ନାମକ ୬୦ ବର୍ଷୀୟ ବୃଦ୍ଧ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ନେବାକୁ ଆସି ଗାଁ କୁ ଫେରିବା ବେଳେ କାଠଗଣ୍ଡି ଉପରେ ଯାଉଥିବାବେଳେ କାଠଗଣ୍ଡିରୁ ଖସିପଡି ଖଡ଼ଗ ନଦୀର ପ୍ରବଳ ସୁଅରେ ଭାସିଯାଇ ମୃତ୍ୟବରଣ କରିଥିଲେ ।

୨ଦିନ ପରେ ତାଙ୍କର ଶବ ଉଦ୍ଧାର ହୋଇଥିଲା । ତେବେ ଏହିଭଳି ଆଉ କେତେ ଜୀବନ ଗଲେ ସରକାରଙ୍କ ଆଖି ଖୋଲିବ ବୋଲି ନଦୀରେ ଭାସି ମୃତ୍ୟୁ ଘଟିଥିବା ବିଶିିକେଶନଙ୍କ ପୁଅ ଟୁନା ନାୟକ ପ୍ରଶ୍ନ ଉଠାଇଛନ୍ତି । ୨୨ବର୍ଷ ରାଜ୍ୟରେ ଶାସନ କରି ବିକାଶ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବିଜୁ ଜନତା ଦଳର ଏ ହେଉଛି ଅସଲ ବିକାଶ ! ଯେଉଁଠି ଆଜିପର୍ଯ୍ୟନ୍ତ ଗାଁକୁ ରାସ୍ତା ନଥିବା ଯୋଗୁଁ ଲୋକେ ନଦୀ ପାର ହେବା ପାଇଁ ନଦୀ ଉପରେ ବିଦ୍ୟୁତ ତାର ଓ କାଠଗଣ୍ଡିରେ ଯାଉଛନ୍ତି ତାହା ହିଁ ରାଜ୍ୟର ବିକାଶର ଚିତ୍ର ବଖାଣୁଛି । ନଦୀ ଉପରେ ପୋଲଟିଏ ନିର୍ମାଣ ପାଇଁ ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅନୁରୋଧ କରିଥିବା ସତ୍ୱେ ଆଜିଯାଏଁ ପୋଲ ନିର୍ମାଣ ତ ଦୂରର କଥା ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଇନଥିବା ଦୁଇ ଛାତ୍ରୀ ସାବିତ୍ରୀ ନାୟକ ଓ ତପସ୍ୱିନୀ ନାୟକଙ୍କ ସମେତ ଗ୍ରାମର ଜାନକୀ ନାୟକ, ଅଜୟ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା କେବେ ଏହି ଖଡ଼ଗ ନଦୀ ଉପରେ ପୋଲ ନିର୍ମାଣ ହେବ ? କେବେ ଲୋକେ ସୁବିଧାରେ ଯିବା ଆସିବା କରି ପାରିବେ? କେବେ ପ୍ରଶାସନିକ ଅଧିକାରୀମାନେ ପୋଲ ନିର୍ମାଣ ପାଇଁ ତତ୍ପରତା ପ୍ରକାଶ କରିବେ ତାହାକୁ ଅପେକ୍ଷା କରି ରହିଛନ୍ତି ଗ୍ରାମବାସୀ ।

Comments (0)
Add Comment