ହୋମଗାର୍ଡ ମାଡ଼ରେ ଡ୍ରାଇଭର ଗୁରୁତର ଘଟଣାକୁ ୬ଦିନ ବିତିଲା, ପୁଲିସର କାର୍ଯ୍ୟାନୁଷ୍ଠାନ ଶୁନ ଉତ୍ୟକ୍ତ ଲୋକଙ୍କ ୫୯ନମ୍ବର ଜାତୀୟ ରାଜପଥ ଅବରୋଧ

ଦାରିଙ୍ଗବାଡି,୨୭/୯: ଦାରିଙ୍ଗବାଡି ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡଙ୍କ ମାଡ଼ରେ ଜଣେ ଡାଲା ପିକଅପ ଗାଡିର ଡ୍ରାଇଭର ଗୁରୁତର ଘଟଣାରେ ସମ୍ପୃକ୍ତ ହୋମଗାର୍ଡ ଜଣକ ଗିରଫ ହୋଇନଥିବା ଯୋଗୁଁ ଗିରଫ ଦାବିରେ ସ୍ଥାନୀୟ ଅଂଚଳର ବହୁ ମହିଳା ଦାରିଙ୍ଗବାଡି ଚାରିଛକରେ ଏକାଠି ହୋଇ ରାସ୍ତାରୋକ କରି ଟାୟାର ନିଆଁଜାଳି ରାସ୍ତାରେ ଧାରଣଦେଇ ପ୍ରତିବାଦ କରିଛନ୍ତି । ଫଳରେ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଗୋମଗାର୍ଡ ଗିରଫ ନହେବା ପର୍ଯ୍ୟନ୍ତ ଧାରଣାରେ ବସିରହିବେ ବୋଲି ନିଜ ଜିଦରେ ଅଟଳ ଅଛନ୍ତି ଏହି ମହିଳାମାନେ । ଘଟଣା ଘଟିବାର ୬ଦିନ ବିତିଯାଇଥିଲେ ସୁଦ୍ଧା ହୋମଗାର୍ଡକୁ କାହିଁକି ଗିରଫ କରାଯାଇନି ବୋଲି ପ୍ରଶ୍ନ କରିଛନ୍ତି ମହିଳା । ସୂଚନାଯୋଗ୍ୟ କି, ଦାରିଙ୍ଗବାଡି ଥାନା ଅନ୍ତର୍ଗତ ବୁର୍ଜୁବାଡି ଗ୍ରାମର ପ୍ରଶାନ୍ତ ପ୍ରଧାନ ଏକ ଡାଲା ପିକଅପ ଚଳାଇ ଗତ ୨୧ ତାରିଖ ରାତିରେ ଦାରିଙ୍ଗବାଡି ଚାରିଛକ ଠାରେ ଗାଡି ବୁଲାଉଥିବାବେଳେ ହୋମଗାର୍ଡ ରତ୍ନାକର ନାୟକଙ୍କ ସ୍କୁଟିକୁ ସାମାନ୍ୟ ଧକ୍କା ହୋଇଥିଲା । ଏଥିରେ ଉତକ୍ଷିପ୍ତ ରତ୍ନାକର ପ୍ରଶାନ୍ତ ପ୍ରଧାନଙ୍କୁ ମାଡ଼ ମାରିଥିଲେ । ପରେ ପ୍ରଶାନ୍ତ ଗାଡିକୁ ନେଇ ଷ୍ଟାଣ୍ଡରେ ପହଞ୍ଚିଥିଲେ । ହୋମଗାର୍ଡ ସେଠାରେ ମଧ୍ୟ ପହଂଚି ପ୍ରଶାନ୍ତଙ୍କୁ ନିର୍ଧୁମ ମାଡ଼ ମାରିଥିବା ପ୍ରଶାନ୍ତ ଅଭିଯୋଗ କରିଛନ୍ତି ।

ହୋମଗାର୍ଡ ଙ୍କ ମାଡରେ ପ୍ରଶାନ୍ତ ଗୁରୁତର ହୋଇ ଘଟଣା ସ୍ଥଳରେ ମୂର୍ଚ୍ଛା ହୋଇ ପଡିଯାଇଥିଲେ । ଏହାପରେ ପ୍ରଶାନ୍ତଙ୍କୁ ପ୍ରଥମେ ଦାରିଙ୍ଗବାଡି ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଫୁଲବାଣୀ ମେଡିକାଲକୁ ରେଫର କରିଦେଇଥିଲେ । ଏହାପରେ ପରିବାର ଲୋକ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ନେଇଥିଲେ । ଏନେଇ ପରିବାର ଲୋକ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଦାରିଙ୍ଗବାଡି ପୋଲିସ ମାମଲା ରୁଜୁ ନକରି ଆପୋଷ ସମାଧାନ କରିବାକୁ ଚାପ ପକାଉଥିଲେ । ଏଣୁ ପରିବାର ଲୋକ ସମେତ ଗ୍ରାମବାସୀ କନ୍ଧମାଳ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ କନ୍ଧମାଳ ଏସପି ଙ୍କ ଦ୍ୱାରସ୍ଥ ହୋଇ ଚାରିଦିନ ବିତିଯାଇଥିଲେ ସୁଦ୍ଧା ହୋମଗାର୍ଡ ଆଜି ପର୍ଯ୍ୟନ୍ତ ଗିରଫ ହୋଇନଥିବା ଯୋଗୁଁ ଲୋକେ ବାଧ୍ୟ ହୋଇ ନିଆଁ ଜାଳି ରାସ୍ତାରୋକ କରି ଧାରଣାଦେଇ ପ୍ରତିବାଦ କରିଛନ୍ତି ଶତାଧିକ ମହିଳା ଓ ପୁରୁଷ । ।

Comments (0)
Add Comment