କଟକଣା ସତ୍ୱେ ଚାଲିଥିଲା ଭୋଜି: ପୁଲିସ ଓ ସ୍ଥାନୀୟ ପ୍ରଶାସନର ମିଳିତ ଚଢ଼ାଉ, ଭୋଜି ବନ୍ଦ କରିବା ସହିତ ୨୦ହଜାର ଟଙ୍କା ଜୋରିମାନା ଆଦାୟ

ଦାରିଙ୍ଗବାଡ଼ି,୮/୫: କରୋନା କଟକଣାକୁ ଅଣଦେଖା କରି ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଇ ଗାଁ ରେ ଚାଲିଥିଲା ବିବାହ ପରବର୍ତ୍ତୀ ଭୋଜି । ତାହା ପୁଣି ୫୦ କିମ୍ବା ଶହେ ନୁହେଁ, ୨ହଜାର ଲୋକଙ୍କ ପାଇଁ । ଯାହାଫଳରେ ଭୋଜି ଆୟୋଜକଙ୍କୁ ଭୋଜି କରିବା ମହଙ୍ଗା ପଡ଼ିଛି । ଏହିଭଳି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ଥାନା ପ୍ଲୀହେରି ପଞ୍ଚାୟତର କିଲାବାଡ଼ି ଗ୍ରାମରେ । ଗ୍ରାମର ମହେଶ୍ୱର ପ୍ରଧାନଙ୍କ ବିବାହ ପୂର୍ବରୁ ଶେଷ ହୋଇଥିବାବେଳେ ଆଜିନ ଭୋଜିଚାଲିଥିବା ବେଳେ ଦାରିଙ୍ଗବାଡ଼ି ପୁଲିସ ଓ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିବା ଭୋଜି ବନ୍ଦ କରିବା ସହିତ ମୋଟା ଅଙ୍କର ଜୋରିମାନା ଆଦାୟ କରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ପ୍ଲୀହେରୀ ପଞ୍ଚାୟତର କିଲାବାଡ଼ି ଗ୍ରାମର ମହେଶ୍ୱର ପ୍ରଧାନ ବିନା ଅନୁମତିରେ କୋଭିଡ୍‌ ନିୟମ ଉଲଘଂନ କରି ଶତାଧିକ ଲୋକଙ୍କୁ ଡକାଇ ନିଜର ବିବାହ ପରବର୍ତ୍ତୀ ଭୋଜିର ଆୟୋଜନ କରିଥିଲେ । ଘଟଣା ସମ୍ପର୍କରେ ଖବରପାଇ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ, ତହସିଲଦାର ଘନକଳାକୃଷ୍ଣ ପ୍ରଧାନ ଓ ସବ ଇନ୍ସପେକ୍ଟର ସୌମ୍ୟକାନ୍ତ ପଣ୍ଡା ପୁଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଁଚି ଭୋଜି ବନ୍ଦ କରିବା ସହିତ ଆୟୋଜକ ମହେଶ୍ୱରଙ୍କ ନିକଟରୁ କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ଯୋଗୁଁ ୨୦ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡ଼ିଛି । ପୁଲିସ ପହଞ୍ଚିବା ଦେଖି ସେଠାରେ ଭୋଜିଖାଉଥିବା ଶତାଧିକ ଲୋକ ଦୌଡି ପଳାଇଥିବା ପ୍ରଶାସନ ତରଫରୁ ସୂଚନା ମିଳିଛି । ଅନ୍ୟ ପକ୍ଷରେ ଦିନକୁ ଦିନ ସ୍ଥାନୀୟ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଯୋଗୁଁ ଏହିଭଳି ଭୋଜିଭାତ ନକରିବାକୁ ସ୍ଥାନୀୟ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।

Comments (0)
Add Comment