ଦାରିଙ୍ଗବାଡି,୯/୧: ପିକନିକ କରିବାକୁ ଆସି ଡଡୁବାଡା ନଦୀରେ ବୁଡ଼ିଯାଇ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ଦାରିଙ୍ଗବାଡି ଥାନା ଡଡୁବାଡା ନଦୀରେ । ମୃତ ଯୁବକ ଘର ଭଦ୍ରକ ଟାଉନଥାନା ପରସିଙ୍ଗା ଅଞ୍ଚଳର ସମୀର କୁମାର ଜେନାଙ୍କ ପୁଅ ସାଇ ଶୁଭଙ୍କର ଜେନା (୨୪) । ସୂଚନା ଅନୁଯାୟୀ ଭଦ୍ରକ ଅଞ୍ଚଳରୁ ୧୪ ଜଣ ଯୁବକ ପିକନିକ କରିବାପାଇଁ ଆଜି ସକାଳେ ଦାରିଙ୍ଗବାଡି ଅଞ୍ଚଳର ଡଡୁବାଡ଼ା ଲଭର୍ସ ପଏଣ୍ଟ ଠାରେ ପହଞ୍ଚିଥିଲେ । ଆଉ ସେଠି ଭୋଜି କରୁଥିବା ସମୟରେ କିଛି ଯୁବକଙ୍କ ସହ ଶୁଭଙ୍କର ଡଡୁବାଡା ନଦୀରେ ଗାଧୋଉଥିବା ସମୟରେ ହଠାତ ଶୁଭଙ୍କରଙ୍କ ଗୋଡ଼ ପଥର ଉପରେ ପଡିଥିବା ଶିଉଳିରେ ଖସିଯାଇ ଦେଖୁ ଦେଖୁ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ବୁଡ଼ିଯାଇଥିଲେ । ସାଙ୍ଗସାଥୀଙ୍କ ପାଟି ଶୁଣି ଆଖପାଖରେ ଥିବା ଲୋକ ନଦୀରୁ ଶୁଭଙ୍କରଙ୍କୁ ଉଦ୍ଧାର କରିଥିଲେ । ଆଉ ଦାରିଙ୍ଗବାଡି ମେଡିକାଲକୁ ଆଣି ଶୁଭଙ୍କରଙ୍କୁ ଭର୍ତ୍ତି କରିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ଙ୍କ ତତ୍ୱବାଧାନରେ ସବଇନ୍ସପେକ୍ଟର ସୌମ୍ୟକାନ୍ତ ପଣ୍ଡା ଓ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ଶବ ଜବତ କରିଥିଲେ । ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସବଇନ୍ସପେକ୍ଟର ସୌମ୍ୟକାନ୍ତ ପଣ୍ଡା ସୂଚନା ଦେଇଛନ୍ତି ।