ଗୁଞ୍ଜ ଓ କନ୍ଧମାଳ ଜିଲ୍ଲା ସବୁଜ ବୈଦ୍ୟ ସଂଗଠନର ମହନୀୟତା: କୋଭିଡ ଯୋଦ୍ଧା ଆଶା କର୍ମୀଙ୍କୁ ପ୍ରଦାନ କଲେ କରୋନା କିଟ୍‌

ଦାରିଙ୍ଗବାଡ଼ି,୨୫/୬: ଦିଲ୍ଲୀସ୍ଥିତ ଗୁଞ୍ଜ ଅନୁଷ୍ଠାନ ଏବଂ କନ୍ଧମାଳ ଜିଲ୍ଲା ସବୁଜ ବୈଦ୍ୟ ସଂଗଠନ ତରଫରୁ ଦାରିଙ୍ଗବାଡ଼ି ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ କୋଭିଡ ଯୋଦ୍ଧା ଆଶାକର୍ମୀମାନଙ୍କୁ ସମ୍ପୂର୍ଣ୍ଣ କରୋନା କିଟ ପ୍ରଦାନ କରାଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ କନ୍ଧମାଳ ଜିଲ୍ଲା ସବୁଜ ବୈଦ୍ୟ ସଂଗଠନର ସମ୍ପାଦକ ଦୀନବନ୍ଧୁ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ ଏବଂ ଗୋଷ୍ଠୀ ସ୍ୱାସ୍ୱ୍ୟ ଅଧିକାରୀ ଯାକେଶ ସାମନ୍ତରାୟ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥି ତୃଣମୂଳ ସ୍ଥରରେ କାର୍ଯ୍ୟ କରୁଥିବା ଆଶାକର୍ମୀ ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିବାବେଳେ ଗୁଞ୍ଜ ଏବଂ ସବୁଜ ବୈଦ୍ୟ ସଂଗଠନର ଏଭଳି କାର୍ଯ୍ୟକୁ ନେଇ ଧନ୍ୟବାଦ ଦେଇଥିଲେ । ସେହିପରି ସ୍ୱାସ୍ଥ୍ୟ ଅଧିକାରୀ ଆଶା କର୍ମୀମାନେ ଘରକୁ ଘର ବୁଲି ଟୀକାକରଣ ଠାରୁ ଆରମ୍ଭକରି ବିଭିନ୍ନ କାର୍ଯ୍ୟ କରୁଥିବାବେଳେ ତାଙ୍କ ପାଖରେ ସବୁବେଳେ ସମ୍ପୂର୍ଣ୍ଣ କିଟ ପର୍ଯ୍ୟାପ୍ତ ଭାବରେ ରହିପାରୁନଥିଲା କିନ୍ତୁ ଗୁଞ୍ଜ ଏବଂ ସବୁଜ ବୈଦ୍ୟ ସଂଗଠନ ଆଶା କର୍ମୀମାନଙ୍କୁ ଦେଇଥିବା କରୋନା କିଟ ଯୋଗୁଁ ଆଶା କର୍ମୀମାନଙ୍କ କାର୍ଯ୍ୟରେ ତାହା ବହୁତ ସହାୟକ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ୧୦୦ଜଣ ଆଶା କର୍ମୀଙ୍କୁ ଏହି କିଟ୍‌ ପ୍ରଦାନ କରାଯାଇଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ବ୍ଲକର ଅନ୍ୟ ଆଶା କର୍ମୀଙ୍କୁ ମଧ୍ୟ ଏହି କିଟ୍‌ ପ୍ରଦାନ କରାଯିବା ନେଇ ସଂଗଠନ ସମ୍ପାଦକ ଶ୍ରୀ ମହାରଣା ପ୍ରକାଶ କରିଛନ୍ତି । ସଙ୍ଗଠନ ତରଫରୁ ଦିଆଯାଇଥିବା କରୋନା କିଟ୍‌ ମଧ୍ୟରେ ପ୍ରତ୍ୟେକ ଆଶା କର୍ମୀଙ୍କୁ ଗୋଟିଏ ଇନ୍ଫ୍ରାରେଡ ଥର୍ମୋମିଟର,ଗୋଟିଏ ଡିଜିଟାଲ ଥର୍ମମିଟର ସହିତ ଅକ୍ସିଜେନ ମାପିବା ପାଇଁ ୨ଟିଲେଖାଏଁ ଅକ୍ସିମିଟର, ୫ଟି ସାନିଟାଇଜର ବୋତଲ,୧୦୦ଟି ପାରାସିଟାମଲ ଔଷଧ,୧୦୦ଟି ମଲ୍ଟି ଭିଟାମିନ ଔଷଧ ସହିତ ୧୦୦ଟି ମାସ୍କ ଓ ୫୦ଯୋଡ଼ା ଗ୍ଲୋବସ୍‌ ରହିଛି ଯାହା ଫଳରେ ଆଶା କର୍ମୀମାନେ ଘରକୁ ଘର ବୁଲି କାର୍ଯ୍ୟ କରିବା ସମୟରେ ନିଜେ ସୁରକ୍ଷିତ ରହିବା ସହିତ ଲୋକଙ୍କୁ ମଧ୍ୟ ଔଷଧ ବଣ୍ଟନ କରିବାରେ ଅନେକ ସହାୟକ ହେବ ବୋଲି ସଂଗଠନ ତରଫରୁ କୁହାଯାଇଛି କ୍ଷ ଅନ୍ୟ ପକ୍ଷରେ ସଂଗଠନ ର ଏହିଭଳି କାର୍ଯ୍ୟକୁ ଆଶା କର୍ମୀ ମାନେ ପ୍ରଶଂସା କରିବା ସହିତ ଏହା ସେମାନଙ୍କ ପାଇଁ ବହୁତ କାର୍ଯ୍ୟରେ ଆସିବ ବୋଲି ଆଶାକର୍ମୀ କନିକା ମଲିକ ଓ ସୁବାସିନୀ ନାୟକ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ଦୀପକ କୁମାର ସାହୁ ଉପସ୍ଥିତ ରହି ଆଶା କର୍ମୀମାନଙ୍କ କାର୍ଯ୍ୟକୁ ପ୍ରଶଂସା କରି ଆଶା କର୍ମୀମାନଙ୍କ କାର୍ଯ୍ୟ ଯୋଗୁଁ ଗାଁ ଗହଳିରେ ଲୋକେ ସଚେତନ ହୋଇ ପାରୁଛନ୍ତି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସବୁଜ ବୈଦ୍ୟ ସଂଗଠନର କର୍ମଚାରୀ ବର୍ଣ୍ଣବା ପ୍ରଧାନ, ବିବିନ କୁମାର ପ୍ରଧାନ, ଯଶୋବନ୍ତ ପ୍ରଧାନ, ଗୌର ପ୍ରଧାନ, ଶାମୁକା ପ୍ରଧାନ, ସରୋଜ ପ୍ରଧାନ, ରଞ୍ଜିତ ପ୍ରଧାନ, ଆସିକ ରଞ୍ଜନ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

Comments (0)
Add Comment