ଟ୍ରେନ ଦୁର୍ଘଟଣାରେ ଦାରିଙ୍ଗବାଡି ଯୁବକଙ୍କ ମୃତ୍ୟୁ: ମୃତଦେହ ଆଣିବା ପାଇଁ ପ୍ରଶାସନ ନିକଟରେ ନିବେଦନ କଲେ ପରିବାର

ଦାରିଙ୍ଗବାଡି,୬/୧୦: ନିଜ ଗାଁରେ କାମ ନମିଳିବାରୁ ଦାଦନ ଖଟିବାକୁ କେରଳ ଯାଇଥିଲେ ଜଣେ ଯୁବକ । ହେଲେ ସେଠାରେ ତାଙ୍କର ଟ୍ରେନ ଦୁର୍ଘଟଣାରେ ଚାଲିଗଲା ଜୀବନ । ମୃତ ଦେହ ଘରକୁ ଆଣିବା ପାଇଁ ପରିବାର ଲୋକ ପାଖରେ ନାହିଁ ଟଙ୍କା । ଦାରିଙ୍ଗବାଡି ଥାନା ଅନ୍ତର୍ଗତ କିସୁବାଡି ଗ୍ରାମରେ ଦେଖିବାକୁ ମିଳିଛି କିଛି ଏହିଭଳି ଦୁଃଖଦ ଘଟଣା । ଗ୍ରାମର ଲକ୍ଷ୍ମୀକାନ୍ତ ପ୍ରଧାନଙ୍କ ୨୨ ବର୍ଷୀୟ ପୁଅ ରମାକାନ୍ତ ପ୍ରଧାନ ଗାଁରେ କାମଧନ୍ଧା ନପାଇ ଦାଦନ ଖଟିବାକୁ କେରଳର ତ୍ରିଶୁର ଅଂଚଳକୁ ଗତ ୨୦୧୯ ମସିହାରେ ଯାଇଥିଲେ । ସେଠାରେ କାମ କରି ପରିବାର ପ୍ରତିପୋଷଣ ପାଇଁ ଘରକୁ ପ୍ରତିମାସରେ ଟଙ୍କା ମଧ୍ୟ ପଠାଉଥିଲେ । ହେଲେ ପରିବାର ଲୋକ ବୁଧବାର ଦିନ ହଠାତ୍‌ ଶୁଣିବାକୁ ପାଇଲେ ଯେ ପୁଅ ରମାକାନ୍ତ ପ୍ରଧାନର ଶବ କେରଳସ୍ଥିତ କୋରାଟେ ପୋଲିସ ଷ୍ଟେସନ ଅଂଚଳର ଏକ ରେଳଲାଇନ ଉପରେ ପଡିରହିଛି । ମୃତଦେହକୁ ଉଦ୍ଧାର କରିବାସହ କେରଳ ରେଳବାଇ ପୋଲିସ ଦାରିଙ୍ଗବାଡି ଥାନାକୁ ସୂଚନା ଦେଇଥିଲେ । ଏନେଇ କୋରାଟେ ପୋଲିସ ଷ୍ଟେସନରେ ଅପମୃତ୍ୟୁ ମାମଲା ନଂ ୮୨୮/୨୧ ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ନେବାକୁ ପରିବାର ଲୋକଙ୍କୁ ଜଣାଇଦେବାକୁ ରେଳ ପୋଲିସ ଦାରିଙ୍ଗବାଡି ଥାନାକୁ ଜଣାଇଥିଲେ । ଦାରିଙ୍ଗବାଡି ପୋଲିସ ରମାକାନ୍ତଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସହ ସ୍ଥାନୀୟ ତହସିଲଦାର ଓ ବିଡ଼ିଓଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଜଣାଇଥିବା ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ବର୍ତମାନ ପରିବାର ଲୋକଙ୍କ ପାଖରେ ଟଙ୍କା ନଥିବା ଯୋଗୁଁ ସେମାନେ ପୁଅର ଶବ ଆଣିବାକୁ ସକ୍ଷମ ନାହାନ୍ତି । ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପୁଅର ଶବ ଆଣିଦେବାକୁ ପରିବାର ଲୋକ ସମେତ ଅଂଚଳବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

Comments (0)
Add Comment