ଦାରିଙ୍ଗବାଡି,୧୮/୪: ବାରମ୍ବାର ଅଭିଯୋଗ ପରେ ମଧ୍ୟ ଠିକାସଂସ୍ଥା ଅସମ୍ପୂର୍ଣ୍ଣ ରାସ୍ତା ଓ ଡ୍ରେନକାମ ସମ୍ପୂର୍ଣ୍ଣ ନକରିବାରୁ ଠିକାସଂସ୍ଥାର ଗାଡ଼ିକୁ ପୁଣିଥରେ ଅଟକ ରଖିଲେ ସିମନବାଡି ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ସଂପୃକ୍ତ ଠିକାସଂସ୍ଥାର ପ୍ରତିଶୃତି କେବଳ ପାଣିର ଗାର ଭଳି ମନେ ହେଉଛି । କାମ ଆରମ୍ଭ କରିବାକୁ ଲୋକଙ୍କୁ କହି ସଂପୃକ୍ତ ଠିକାସଂସ୍ଥା କାମ ଅଧପନ୍ତରିଆ ଅବସ୍ଥାରେ ଛାଡ଼ି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହିଭଳି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିମନବାଡି ଗ୍ରାମରେ । ଏହି ଗ୍ରାମ ଦେଇ ୫୯ ନଂ ଜାତୀୟ ରାଜପଥ ଯାଇଥିବା ବେଳେ ବର୍ତ୍ତମାନ ସଂପ୍ରସାରଣ କାମ ଆରମ୍ଭ ହୋଇଛି । ଏହି କାମ ଆଜକୁ ପ୍ରାୟ ୯ମାସ ହେବ ଆରମ୍ଭ ହୋଇଥିବାବେଳେ ଆଜିପର୍ଯ୍ୟନ୍ତ କାମ ସମ୍ପୂର୍ଣ୍ଣ ହେଉନାହିଁ । ଯାହାଦ୍ୱାର ରାସ୍ତାକଡରେ ରହିଥିବା ଦୋକାନ ଗୁଡିକ ମଧ୍ୟ ବନ୍ଦ ହୋଇ ପଡିରହିଛି । ବଜାରରେ ଗାଡ଼ିମଟର ଯିବା ମାତ୍ରେ ଧୂଳିମୟ ହୋଇଯାଉଛି ବଜାର । ଡ୍ରେନ ଓ ରାସ୍ତାଗୁଡିକ ଭଙ୍ଗାଭଙ୍ଗୀ ହୋଇରହିଛି । ଏହିଭଳି ହେବା ଦ୍ୱାରା ସ୍ଥାନୀୟ ବ୍ୟବସାୟୀ ଓ ଅଂଚଳବାସୀ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି । ଉଠା ଦୋକାନୀଙ୍କର ଜୀବିକା ବନ୍ଦ ହୋଇଯାଇଛି । କାମ ସମ୍ପୂର୍ଣ୍ଣ କରିବାପାଇଁ ସମ୍ପୃକ୍ତ ଠିକାସଂସ୍ଥାକୁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବାପରେବି କାମ ସମ୍ପୂର୍ଣ୍ଣ ନକରିବା ଯୋଗୁଁ ଗତ ମାର୍ଚ୍ଚ ମାସ ୩୦ ତାରିଖ ଦିନ ସିମନବାଡି ଗ୍ରାମବାସୀ ବାଧ୍ୟ ହୋଇ ସମ୍ପୃକ୍ତ କମ୍ପାନୀର ଗାଡ଼ି ଗୁଡିକୁ ସିମନବାଡି ବଜାରରେ ଅଟକ ରଖିଥିଲେ । କିନ୍ତୁ ସମ୍ପୃକ୍ତ ଠିକା ସଂସ୍ଥା ଅତି ଶୀଘ୍ର କାମ ଆରମ୍ଭ କରିବ ପ୍ରତିଶୃତି ଦେଇଥିଲେ । ପ୍ରତିଶୃତିର ୧୭ ଦିନ ବିତିଯାଇଥିଲେ ସୁଦ୍ଧା ଠିକାସଂସ୍ଥା କାମ ଆରମ୍ଭ ନକରିବା ଯୋଗୁଁ ସିମନବାଡି ଗ୍ରାମବାସୀ ଶନିବାର ଦିନ ପୁଣି କମ୍ପାନୀ ଗାଡି ଗୁଡିକୁ ଅଟକ ରଖିଥିଲେ । ଏହାପରେ ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ଲୋକଙ୍କୁ ବୁଝାଶୁଝା କରିବାପରେ ଗ୍ରାମବାସୀ ଅଟକ ଗାଡିକୁ ଛାଡିଦେଇଥିଲେ । ଏହାପରେ ସମ୍ପୃକ୍ତ ଠିକା ସଂସ୍ଥାର ମ୍ୟାନେଜର ପଞ୍ଚାନନ ଦାସ ସିମନବାଡିରେ ପହଂଚି ଲୋକଙ୍କୁ ବୁଝାଶୁଝା କରି ରବିବାର ଦିନ ଜାତୀୟ ରାଜପଥ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସିମନବାଡି ଆସି ମାର୍କେଟ କାମ ଉପରେ ଆଲୋଚନା କରିବେ ବୋଲି ଲୋକଙ୍କୁ ପ୍ରତିଶୃତି ଦେଇଥିଲେ । ଯଦି ଏହି ପ୍ରତିଶୃତି ପାଳନ ନହୁଏ ତାହାହେଲେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି କମ୍ପାନୀ ମ୍ୟାନେଜରଙ୍କୁ ରୋକଠୋକ ଜଣାଇଛନ୍ତି ।