ଶବ ଉଦ୍ଧାର ହୋଇଥିବା ଅଚିହ୍ନା ବୃଦ୍ଧଙ୍କ ମିଳିଲା ପରିଚୟ

ଦାରିଙ୍ଗବାଡି,୧୨/୪: ଦାରିଙ୍ଗବାଡି ଥାନା ଅନ୍ତର୍ଗତ ପେନାପୁସି ସ୍କୁଲ ନିକଟରୁ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କର ଶବ ଗତକାଲି ଦାରିଙ୍ଗବାଡ଼ି ପୁଲିସ ଉଦ୍ଧାର କରିଥିଲା । ବୃଦ୍ଧଜଣକ ବହୁତ ଦିନ ହେଲା ସେହି ଅଂଚଳରେ ରହି ଭିକ୍ଷା ବୃତ୍ତିି କରି ରହିଆସୁଥିଲେ । ତେବେ ଗତକାଲି ସେହି ସ୍କୁଲ ପରିସରରେ ତାଙ୍କର ମୃତ୍ୟ ହୋଇଥିବା ବେଳେ ସ୍କୁଲରେ ମୃତ ଦେହ ପଡିଥିବା ଦେଖି ସ୍ଥାନୀୟ ସରପଂଚ ଦାରିଙ୍ଗବାଡ଼ି ପୁଲିସକୁ ସୂଚନା ଦେଇଥିଲେ । ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ଉକ୍ତ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ବୃଦ୍ଧଙ୍କ ମୃତ ଦେହ ଜବତ କରି ମୃତ ବୃଦ୍ଧଙ୍କ ପରିଚୟ ପାଇବା ପାଇଁ ସେ ତନାଘନା କରିଥିଲେ । ସବଇନ୍ସପେକ୍ଟର ସୌମ୍ୟକାନ୍ତ ପଣ୍ଡା ଏହି ଘଟଣାର ତଦନ୍ତ କରୁଥିବା ବେଳେ ତଦନ୍ତ ବେଳେ ମୃତ ବୃଦ୍ଧ ବ୍ୟକ୍ତି ଜଣକ ରାଇକିଆ ଥାନା ଅନ୍ତର୍ଗତ ଦୁମାଗୁଡ଼ା ଅଞ୍ଚଳର ଏଲିଆସ ନାୟକ(୭୦) ବୋଲି ଜାଣିବାକୁ ପାଇଥିଲେ । ଏହାପରେ ପୁଲିସ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ସହିତ ଯୋଗାଯୋଗ କରିବା ସହିତ ଦାରିଙ୍ଗ ବାଡ଼ିକୁ ଡକାଇ ମୃତ ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ କରାଇଥିଲେ । ଏହାପରେ ଆଜି ମୃତ ବୃଦ୍ଧଙ୍କ ଶବ ବ୍ୟବଚ୍ଛେଦ କରିବା ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ସବ ଇନ୍ସପେକ୍ଟର ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ଏହି ଘଟଣାରେ ଦାରିଙ୍ଗ ବାଡ଼ି ଥାନାରେ ଅପମୃତ୍ୟୁ ମାମଲା ୫/୨୧ ରୁଜୁ ହୋଇଥିବା ଥାନା ଅଧିକାରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି ।

Comments (0)
Add Comment