ଦାରିଙ୍ଗବାଡି,୪/୭: କନ୍ଧମାଳ ଜିଲ୍ଲାରେ ସମସ୍ତ ୧୭୮ଜଣ କରୋନା ସଂକ୍ରମିତ ବ୍ୟକ୍ତିମାନେ ସୁସ୍ଥହୋଇ ଘରକୁ ଫେରିଛନ୍ତି । ତେବେ ପଡୋଶୀ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସଂକ୍ରମଣ ଦିନକୁଦିନ ବୃଦ୍ଧି ପାଉଛି । ଗଞ୍ଜାମ ଜିଲ୍ଲା ଉପରେ କନ୍ଧମାଳ ଜିଲ୍ଲା ଅତ୍ୟାବଶ୍ୟକ ପନିପରିବା ଠାରୁ ଆରମ୍ଭକରି ବିଭିନ୍ନ ବ୍ୟବସାୟ ପାଇଁ ନିର୍ଭରଶୀଳ । ତେବେ ଜିଲ୍ଲାରେ ସଂକ୍ରମଣ ରୋକିବା ନେଇ ପ୍ରତିଷେଧକ ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁଲାଇ ମାସର ପ୍ରତ୍ୟେକ ସପ୍ତାହର ଶନିବାର ଏବଂ ରବିବାର ସମଗ୍ର ଜିଲ୍ଲାରେ ଜିଲ୍ଲାପାଳ ଡଃ ଡି ବୃନ୍ଦା ସଟଡାଉନ୍ ଘୋଷଣା କରିଛନ୍ତି । ଶନିବାର ସକାଳେ ଦାରିଙ୍ଗବାଡ଼ି ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଶନିବାର ସକାଳୁ ସଟଡାଉନ୍ ଲାଗି ରାସ୍ତା ଘାଟ ଜନଶୂନ୍ୟ ହୋଇଯାଇଛି । ଅଂଚଳରେ ଔଷଧ ଦୋକାନକୁ ଛାଡିଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ତତ୍ୱବାଧାନରେ ଦାରିଙ୍ଗବାଡ଼ିର ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ସିମନବାଡ଼ି, କିରୀକୁଟି, ଶ୍ରାନିକେତା ପର୍ତ୍ତମାହା ଆଦି ଥାନା ଅଧୀନରେ ଥିବା ଗ୍ରାମ ଗୁଡ଼ିକରେ ପୁଲିସ ତରଫରୁ ପ୍ୟାଟ୍ରୋଲିଂ କଡ଼ାକଡ଼ି କରାଯାଇଛି । ପୁଲିସ ପକ୍ଷରୁ ବିଭିନ୍ନ ଛକ ନିକଟରେ ଯାନବାହନ ଯାଞ୍ଚ କରାଯାଉଛି । ଶନିବାର ଓ ରବିବାର ସଟଡାଉନ ସମୟରେ ଅତ୍ୟାବଶ୍ୟକ କାମ ନଥିଲେ ଘରୁ ବାହାରକୁ ନ ବାହାରିବା ପାଇଁ କହି ଥାନା ଅଧିକାରୀ ଶ୍ରୀ ମାଝୀ ଅଞ୍ଚଳବାସୀ ପ୍ରଶାସନକୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ।