ଦାରିଙ୍ଗବାଡ଼ି ରେ ଶିଶୁ ବିକାଶ ଯୋଜନା ଫେଲ ! ଅପପୁଷ୍ଟି ର ଶିକାର ହେଉଛନ୍ତି ଦୁର୍ଗମ ସୋନପୁର ଅଞ୍ଚଳ ର ଶିଶୁ ବିଭାଗ ପାଖରେ ଖବର ନାହିଁ

ଦାରିଙ୍ଗବାଡ଼ି ୨୯/୬: ରାଜ୍ୟ ସରକାର ରାଜ୍ୟ ବାସୀଙ୍କ ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା କରିଛନ୍ତି l ସରକାର କରିଥିବା ମାଳମାଳ ଯୋଜନା ଦ୍ୱାରା ରାଜ୍ୟରେ ଥିବା ଗରୀବ ଲୋକମାନେ ଯେପରି ଉପକୃତ ହୋଇପାରିବେ କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଳକରେ ବାସ୍ତବ ଚିତ୍ର ସମ୍ପୁର୍ଣ୍ଣ ଅଲଗା l ସରକାରଙ୍କ ଏହି ଯୋଜନା ଯେ ବାସ୍ତବସ୍ଥିତି ଠାରୁ ଯୋଜନ ଯୋଜନ ଦୂରରେ ରହିଛି ତାହା କହିଲେ ଅତ୍ୟୁକ୍ତି ହେବ ନାହିଁ। ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ସୋନପୁର ପଞ୍ଚାୟତର ବୁଡ୍ରାପାଙ୍ଗା ଗ୍ରାମର ଶିଶୁ ମାନେ ଅପପୁଷ୍ଟିର ଶିକାର ହେଉଥିବା ଅଭିଯୋଗ ହୋଇଛି l କେବଳ ସେତିକି ନୁହେଁ ଅନେକ ଶିଶୁମାନଙ୍କ ଶରୀରରେ କାଛୁକୁଣ୍ଡିଆ ଭର୍ତ୍ତି ହୋଇଥିବା ବେଳେ ଶିଶୁମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ମିଳିପାରୁନଥିବା ଅଭିଯୋଗ ମଧ୍ୟ ହୋଇଛି l ଅଭିଯୋଗ ମୁତାବକ ଦାରିଙ୍ଗବାଡ଼ି ବ୍ଲକ ସୋନପୁର ପଞ୍ଚାୟତର ବୁଡ୍ରାପାଙ୍ଗା ଗ୍ରାମର ଅଶ୍ୱିନ ପ୍ରଧାନଙ୍କ ଏକ ବର୍ଷର ଶିଶୁ ପୁତ୍ର ବିଜୁ ଅପପୃଷ୍ଟିର ଶିକାର ହୋଇଥିବା ଦେଖିବାକୁ ମିଳିଛି। ପରିବାର ବର୍ଗ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଅଶ୍ୱିନ ନିଜ ଶିଶୁ ପୁତ୍ରର ଚିକିତ୍ସା କରାଇ ପାରିନାହାନ୍ତି ଅଶ୍ୱିନ ଙ୍କ କହିବା ଅନୁସାରେ ଗତ ବର୍ଷ ଜୁନ ମାସରେ ତାଙ୍କର ଶିଶୁ ବିଜୁ ଜନ୍ମ ହୋଇଥିଲା। ତେବେ ଜନ୍ମ ହେବାର ଏକ ବର୍ଷ ରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ସୁଦ୍ଧା ବିଜୁର ଶରୀରର କୌଣସି ଉନ୍ନତି ହେଉନାହିଁ ସେ ଜନ୍ମ ସମୟରେ ଯେଉଁଭଳି ରହିଥିଲା ଏବେ ମଧ୍ୟ ସେହିଭଳି ଭାବରେ ରହିଛି କେବଳ ସେତିକି ନୁହେଁ ଅପୁଷ୍ଟିର ଶିକାର ହୋଇଥିବାରୁ ବୟସ ଅନୁପାତରେ ଶିଶୁ ଟିର ଓଜନ ମଧ୍ୟ କମିକମି ଯାଉଛି ବୋଲି ବାପା ଅଶ୍ୱିନ ଅଭିଯୋଗ କରିଛନ୍ତି l ବିଜୁ ମାତ୍ର ଏକ ଉଦାହରଣ ଏହିଭଳି ଭାବେ ବହୁ ଶିଶୁ ଅପପୁଷ୍ଟି ର ଶିକାର ହୋଇଥିବା ଦେଖିବାକୁ ମିଳିଛି l ଅନ୍ୟପକ୍ଷରେ ବୁଡ୍ରାପାଙ୍ଗା ଗ୍ରାମର ଶିଶୁ କେବଳ ଯେ ଅପପୁଷ୍ଟିର ଶିକାର ହୋଇଛନ୍ତି ତାହା ନୁହଁ ଗ୍ରାମରେ ପାନୀୟ ଜଳର ସମସ୍ୟା ହେତୁ ଗ୍ରାମର ଅନେକ ଶିଶୁ ବିଭିନ୍ନ ଚର୍ମରୋଗରେ ମଧ୍ୟ ଶିକାର ହେଉଥିବା ଦେଖିବାକୁ ମିଳିଛି ତେବେ ଗ୍ରାମରେ ଏହି ଘଟଣା କମିବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ତେବେ ଦାରିଙ୍ଗବାଡ଼ି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ପୁଷ୍ଟି ପୁନର୍ବାସ କେନ୍ଦ୍ର ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ଙ୍କ ପାଖରେ ଏନେଇ କୌଣସି ସୂଚନା ନାହିଁ l ଏମିତିକି ଗ୍ରାମାଞ୍ଚଳ ରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ଅଙ୍ଗନବାଡି କର୍ମୀ କିମ୍ବା ଆଶା କର୍ମୀ କିମ୍ବା ସ୍ୱାସ୍ଥ୍ୟ କର୍ମୀ ଙ୍କ ପାଖରେ ବି କୌଣସି ଖବର ନାହିଁ ଯାହାକି ଏକ ଲଜ୍ୟା ଜନକ ଘଟଣା l ଆଉ ସେପଟେ ଏ ସମ୍ପର୍କରେ ଦାରିଙ୍ଗବାଡ଼ି ସମନ୍ୱିତ ଶିଶୁ ବିଭାଗ ଅଧିକାରୀ ସିଡିପିଓ ଦ୍ରୌପଦୀ କହଁର ଙ୍କ ସହ ଯୋଗାଯୋଗ କରାଯାଇଥିବା ବେଳେ ସେ ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଥିବା ବେଳେ ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରୀ ଜୟପାଲ ସେନାପତି ଙ୍କୁ ଏହି ବାବଦରେ କହିବାରୁ ସେ ଘଟଣାର ଅନୁଧ୍ୟାନ କରି ଗ୍ରାମରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି କହିଥିଲେ l ତେବେ ବର୍ତ୍ତମାନ ଠାରୁ ପରିସ୍ଥିତିକୁ ନିୟନ୍ତ୍ରଣ ନକଲେ ଦାରିଙ୍ଗବାଡ଼ି ଅଞ୍ଚଳ ଯେ ଆଉ ଏକ ନଗଡ଼ା ଭାବରେ ପରିଚିତ ହେବ ନାହିଁ କିଏ କହିପାରେ ?

Comments (0)
Add Comment