ପୁଣି ତିନି କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ : ଗାଁକୁ କାଦୁଅ ରାସ୍ତା ଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ

ଦଶପଲ୍ଲା : ସ୍ୱାଧିନତାର ୭୪ ବର୍ଷ ପରେ ମଧ୍ୟ ବାଡିବାରୀ ଗାଁକୁ ହୋଇପାରିଲାନି ରାସ୍ତା ନିର୍ମାଣ । ଆଜି ପର୍ଯ୍ୟନ୍ତ ଖଟିଆରେ ରୋଗୀ ବୁହା ହେଉଥିବା ବେଳେ ଜରୁରୀକାଳୀନ ସେବାରୁ ଗ୍ରାମବାସୀମାନେ ବଂଚିତ ଥିବା ଦେଖିବାକୁ ମିଳିଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ୍ୟ ପ୍ରଶାସନର ନୀରବତା ଯୋଗୁଁ ଅକାରଣରେ ଚାଲିଯାଉଛି ମୂଲ୍ୟବାନ ଜୀବନ । ସୂଚନା ଅନୁସାରେ, ନୂଆଗାଁ ବ୍ଲକ ଜାକେଡା ଗ୍ରାମପଞ୍ଚ଼ାୟତ ଏକ ଆଦିବାସୀ ବହୁଳ ଗ୍ରାମପଂଚାୟତ ହୋଇଥିବା ବେଳେ ଏଠାରେ ୨୪ ଗୋଟି ରାଜସ୍ୱ ଗ୍ରାମ ରହିଅଛି । ଏହି ଗ୍ରାମ ଗୁଡିକ ମଧ୍ୟରୁ ପାଂଚ ଛଅଟି ଗ୍ରାମକୁ ଛାଡିଦେଲେ ଅନ୍ୟ ଗ୍ରାମ ଗୁଡିକରେ ଆମ୍ବୁଲାନ୍ସ, ଅଗ୍ନିଶମ ଓ ପୋଲିସ ଗାଡିକୁ ଆଜି ପର୍ଯ୍ୟନ୍ତ ଗ୍ରାମର ଲୋକମାନେ ଦେଖିନାହାଁନ୍ତି । କିଛି ହାତ ଗଣତି ଗ୍ରାମରେ ମୋବାଇଲ ସେବା ଆସୁଥିବା ବେଳେ ଅନ୍ୟ ଗ୍ରାମର ଲୋକମାନେ ମୋବାଇଲ କଣ ମଧ୍ୟ ଜାଣିନାହାଁନ୍ତି । ଏଭଳି ପରିସ୍ଥିତିରେ ଜାକେଡା ଗ୍ରାମପଂଚାୟତ ବାଡିବାରୀ ଗ୍ରାମର ଶୁକ୍ର ମଳିକଙ୍କ ପୁଅ ବଳରାମ ମଳିକ ଆଜି ସକାଳ ୧୦ ଘଟିକା ସମୟରେ କୌଣସି କାରଣରୁ ଛାତ ଉପରକୁ ଯାଇଥିଲେ । ସେଠାରେ ତାଙ୍କର ମୁଣ୍ଡ ଘୂରାଇ ନେବାରୁ ଛାତରୁ ତଳକୁ ଖସି ପଡିଥିବା ବେଳେ ତା ଶରୀରରେ ଗଭୀର ଆଘାତ ଲାଗିଥିଲା । ଏଭଳି ଅଭାବନୀୟ ଘଟଣା ଘଟିବା ପରେ ସେହି ଗ୍ରାମର ଜଣେ ଶିକ୍ଷିତ ଆଦିବାସୀ ଯୁବକ ତ୍ରିନାଥ ମଳିକ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ସେବା ତରଫରୁ ଯେଉଁ ଉତ୍ତର ପାଇଥିଲେ ସେଥିରେ ତାଙ୍କ ମୁଣ୍ଡ କାମ କରିନଥିଲା । ସେ କହିଥିଲେ ଯେ, ତୁମ ଗ୍ରାମକୁ ଭଲ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଯାଇପାରିବ ନାହିଁ । ଏହା ଶୁଣିବା ପରେ ବିଳମ୍ବ ନକରି ଗ୍ରାମବାସୀଙ୍କ ସହଯାଗରେ ଏକ ଖଟିଆ ଯୋଗେ ବଳରାମଙ୍କୁ ଶିମିଳିସାହି ପର୍ଯ୍ୟନ୍ତ ଆଣି ସେଠାରୁ ଅଟୋରେ ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ବଳରାମଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନଆସିବାରୁ ତାଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସେଠାରେ ଆମ୍ବୁଲାନ୍ସ ଉପସ୍ଥିତ ନଥିବା ହେତୁ ଗଣିଆରୁ ଆମ୍ବୁଲାନ୍ସ ଆସି ନୟାଗଡ ନିଆଯାଇଥିଲା । ବର୍ତ୍ତମାନ ସମୟରେ ବଳରାମ ସେଠାରେ ରହି ଚିକିତ୍ସିତ ହେଉଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । କେବଳ ସେତିକି କଥା ନୁହେଁ ଏହି ରାସ୍ତା ଦେଇ ବାଡିବାରୀ ଗ୍ରାମବାସୀଙ୍କ ସମେତ ଲୁଣି, ତୁକୁଡା, ଜିରି, ବାଗିଆମ୍ବା ଗ୍ରାମର ୫୦୦ରୁ ଉଦ୍ଧ୍ୱର୍ ଗ୍ରାମବାସୀ ଯାତାୟତ କରିଥାନ୍ତି । ଏହି ରାସ୍ତାରେ ବାଡିବାରୀ ଗ୍ରାମ ସର୍ବପ୍ରଥମେ ପଡୁଥିବା ବେଳେ ଏହି ଗ୍ରାମର ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ପହଂଚି ପାରୁନାହିଁ ତେବେ ବାକି ଚାରିଗୋଟି ଗ୍ରାମର ରୋଗୀମାନେ କିଭଳି ଅବସ୍ଥା ଭୋଗୁଥିବେ ତାହା ଏଥିରୁ ଷ୍ପଷ୍ଟ ଅନୁମେୟ । ଜାକେଡା ଗ୍ରାମପଂଚାୟତର ଏହି ୫ ଟି ଗ୍ରାମକୁ କେବେ ସବୁଦିନିଆ ରାସ୍ତା ନିର୍ମାଣ ହେବା ସହ ଗ୍ରାମରେ ଜରୁରୀକାଳୀନ ସେବା ପହଂଚି ପାରିବ ତାହା ଦେଖିବାକୁ ବାକି ରହିଲା ।

Comments (0)
Add Comment