ଦଶପଲ୍ଲା,୧୬/୪: – ଦଶପଲ୍ଲା ଲଙ୍କାପୋଡି ଯାତ୍ରାର ଷଷ୍ଠ ଦିବସରେ ବିରାୟୁଦ୍ଧ ବଧ , ବେଢ଼ା ପରିକ୍ରମା ଓ ସୀତାହରଣ ନୀଳାଭିନୟ ଅନୁଷ୍ଠିତ ହୋଇଯାଇଛି । ଗୋଟିଏ ପଟେ ମର୍ଯ୍ୟାଦା ପୁରୁଷ ଶ୍ରୀରାମ ବିରାୟୁଧକୁ ବଧ କରି ଅସୁର ନିପାତ କରିଥିବା ବେଳେ ପଞ୍ଚବଟିରୁ ସୀତା ହରଣ ଦର୍ଶକ ମାନଙ୍କୁ ବେଶ ଆକର୍ଷିତ କରିଥିଲା । ରାମାୟଣ କଥାବସ୍ତୁ ଅନୁଯାୟୀ ରାମ , ଲକ୍ଷ୍ମଣ ଓ ସୀତା ଗୋଦାବରୀ ନଦୀ ତଟରେ ପଞ୍ଚବଟି ଅରଣ୍ୟରେ ବସବାସ କରୁଥିଲେ । ସେଠାରେ ଲକ୍ଷ୍ମଣଙ୍କ ଦ୍ୱାରା ସୁପନଖାର ନାସା ଓ କର୍ଣ୍ଣ ଛେଦନ ପରେ ତାର ତିନି ଭାଇକୁ ବଧ କଲେ ରାମଚନ୍ଦ୍ର , ଶେଷରେ ରାବଣ ମାରିଚ ଅସୁରକୁ ମାୟା ସ୍ୱର୍ଣ୍ଣ ମୃଗ ରୂପରେ ପଞ୍ଚବଟୀକୁ ପଠାନ୍ତି , ରାମଚନ୍ଦ୍ର ତାଙ୍କୁ ବଦ୍ଧ କରିବା ପାଇଁ ଜଙ୍ଗଲ ମଧ୍ୟକୁ ଚାଲି ଯାଆନ୍ତି ଓ ବଦ୍ଧ କରନ୍ତେ ଅସୁର ତ୍ରାହି ଲକ୍ଷ୍ମଣ ତ୍ରାହି ଲକ୍ଷ୍ମଣ ଡାକ ଛାଡେ , ଏ କଥା ଶୁଣି ସୀତା ପୁଣି ଲକ୍ଷ୍ମଣଙ୍କୁ ରାମଙ୍କ ନିକଟକୁ ପଠାନ୍ତି ।
ଏହି ସୁଯୋଗରେ ରାବଣ ମାୟା ଜତି ବେଶ ଧାରଣ କରି ସୀତାଙ୍କୁ ହରଣ କରି ପୁଷ୍ପକବିମାନରେ ଲଙ୍କା ଅଭିମୁଖେ ଅପହରଣ କରି ନେଇଯାଏ । ମାତ୍ର ଅଧାବାଟରେ ପକ୍ଷୀରାଜ ଜଟାୟୁ ରାବଣକୁ ଆକ୍ରମଣ କରି ପରାସ୍ତ ଏବଂ ଆହତ ହୁଏ । ରାବଣ ସୀତାଙ୍କୁ ନେଇ ଅଶୋକ ବନରେ ରଖି ଅସୁରୀ ମାନଙ୍କୁ ଜଗାଇଥାଏ । ଏହିପରି ଭାବରେ ସୀତା ଚୋରି ନୀଳାଭିନୟ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ମଞ୍ଚରେ ସୀତାଙ୍କ ପର୍ଣ୍ଣ କୁଟୀରର ଅତ୍ୟନ୍ତ ମନୋହର ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରଥା ଅନୁଯାୟୀ ଦଶପଲ୍ଲା ରାଜଦାଣ୍ଡରେ ୩୫ ଫୁଟ ଉଚ୍ଚତା ବିଶିଷ୍ଟ କାଷ୍ଠ ନିର୍ମିତ ରାବଣ ଓ ପାରଂପାରିକ ପ୍ରଯୁକ୍ତି ବିଦ୍ୟାରେ ପ୍ରସ୍ତୁତ ପୁଷ୍ପକ ବିମାନ ଦଣ୍ଡାୟମାନ ହୋଇଥିଲା ଯାହାକୁ ଦେଖିବାକୁ ବହୁ ଜନ ସମାଗମ ହୋଇଥିଲା ।