ତାଣ୍ଡବ ରଚିଲା କାଳବୈଶାଖୀ, ୨ ଜଣଙ୍କ ମୃତ୍ୟୁ

ଦଶପଲ୍ଲା,୧୬/୫:- ଆଜି ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ବାଇକ ଆରୋହୀ ଜଣକ କଣ୍ଟିଲୋ ନିକଟସ୍ଥ ମାଧବେରେଣୀ ଗ୍ରାମର ନାଭ ଖଟୁଆ ବୋଲି ଜଣାପଡିଛି । ମୃତ ବ୍ୟକ୍ତି ଜଣକ ଜଣେ ଆଇସକ୍ରିମ ବ୍ୟବସାୟୀ ହୋଇଥିବାରୁ ବାଇକ ଯୋଗେ ଗଣିଆ ଅଞ୍ଚଳକୁ ଆଇସକ୍ରିମ ବ୍ୟବସାୟ କରିବାକୁ ଆସିଥିଲେ । ମୃତ ନାଭ ଖଟୁଆ ଛାମୁଣ୍ଡିଆରୁ ଗଣିଆ ଅଭିମୁଖେ ଯାଇଥିବା ବେଳେ କିଶୋରଚନ୍ଦ୍ର ବିଦ୍ୟାପୀଠ ନିକଟରେ କାଳବୈଶାଖୀ ପ୍ରଭାବରେ ଗଛ ଡାଳ ଭାଙ୍ଗି ତାଙ୍କ ଉପରେ ପଡିଯାଇଥିଲା । ତୁରନ୍ତ ତାଙ୍କୁ ଗଣିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଛାମୁଣ୍ଡିଆ ଅଞ୍ଚଳରେ ପବନ ଯୋଗୁଁ କ୍ଷୟକ୍ଷତି ହୋଇଥିବା ବେଳେ ଛାମୁଣ୍ଡିଆ ସ୍ୱଂୟପ୍ରଭା ଫେବ୍ରିକେସନର ଆଜବେଷ୍ଟ ଉଡାଇ ନେଇ କ୍ଷତି ଘଟାଇଛି । ପ୍ରବଳ ପବନ ଯୋଗୁଁ ଗଣିଆ ଛାମୁଣ୍ଡିଆ ରାସ୍ତାରେ ଅନେକ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବାବେଳେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ରାତିପର୍ଯ୍ୟନ୍ତ ରାସ୍ତା ସଫା କରିବାରେ ଲାଗିଛନ୍ତି । ତେବେ ଛାମୁଣ୍ଡିଆ ଅଂଚଳକୁ ବିଦ୍ୟୁତ ସରବରାହ ବନ୍ଦ ରହିଛି । ସେହିପରି ଖଣ୍ଡପଡା ଅଞ୍ଚଳରେ କାଳବୈଶାଖୀ ତାଣ୍ଡବରେ ଯାତ୍ରୀବାହି ଅଟୋ ଉପରେ ଗଛଡାଳ ଭାଙ୍ଗି ପଡି ଜଣକର ମୃତ୍ୟୁ ଘଟିଥିବା ଜଣାପଡିଛି । ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି । ମୃତ ମହିଳା ଜଣକ ରଶ୍ମିତା ନାୟକ ବୋଲି ସୂଚନା ମିଳିଛି । ଗୁରୁତରଙ୍କ ମଧ୍ୟରେ ମୃତ ରଶ୍ମିତାଙ୍କ ମାଆ ଉମା ନାୟକ ସହ ଅନ୍ୟ ଦୁଇ ଜଣ ଥିବା ଜଣାପଡ଼ିଛି । ଗୁରୁତର ମାନଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଏକ ଯାତ୍ରୀବାହି ଅଟୋ କୋସକାରୁ କିଆଝର ଅଭିମୁଖେ ଯାଉଥିବାବେଳେ ଅଁଳାପଟା ନିକଟରେ ରାସ୍ତା ପାଶ୍ୱର୍ସ୍ଥ ଗଛରୁ ଡାଳ ଭାଙ୍ଗି ଅଟୋ ଉପରେ ପଡିଯାଇଥିଲା । ଫଳରେ ଏକ ଅଘଟଣ ଘଟିଯାଇଥିଲା । ଖବରପାଇ ଖଣ୍ଡପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବାସହ ଶବ ବ୍ୟବଚ୍ଛେଦ ନିମନ୍ତେ ମୃତଦେହକୁ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥଲା । ଏହି ଦୁଃଖଦ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Comments (0)
Add Comment