ଦଶପଲ୍ଲା,୨/୪- ଆଜି ମଧ୍ୟାହ୍ନ ୧୨ଟାରେ ଖୋର୍ଦ୍ଧା – ବଲାଙ୍ଗୀର ୫୭ ନଂଜାତୀୟ ରାଜପଥର ଟାକରା ଘାଟି ନିକଟସ୍ଥ ପଡିଆ କୁଟିବାରି ନିକଟରେ ଓଡ଼ିଶା ରାଜ୍ୟ ପରିବହନ ନିଗମର ଜଟଣୀ- କଣ୍ଟାମାଳ ଯାତ୍ରୀବାହି ବସ୍ ସହ ଜଟଣୀରୁ ଆସୁଥିବା ଗ୍ୟାସ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଟ୍ରକ୍ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ବସ ଡ୍ରାଇଭରଙ୍କ ସମେତ ୧୫ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ରାଜ୍ୟ ପରିବହନ ନିଗମର ଜଟଣୀ – କଣ୍ଟାମାଳ ବସ୍ ନଂ – ଓ ଆର୍୧୪ ଡବ୍ଲ୍ୟୁ ୩୮୯୨ ସହିତ ଗ୍ୟାସ୍ ଟାଙ୍କି ବୋଝେଇ ଗାଡି ନଂଓ ଡି ୦୨ ବି ଜି ୧୫୯୧ର ଧକ୍କାରେ ବସ୍ ଡ୍ରାଇଭର ହେମନ୍ତ ଦାସ ( ୪୫ ) ଙ୍କର ଦୁଇଟି ଯାକ ଗୋଡ ଭାଙ୍ଗି ଯାଇଥିବା ଏବଂ ଛାତିର ପଞ୍ଜରା ହାଡ ଭାଙ୍ଗିଥିବା ଡାକ୍ତର ଅନୁମାନ କରୁଛନ୍ତି । ପ୍ରକାଶଥାଉକି, ଜଟଣୀ- କଣ୍ଟାମାଳ ବସ୍ ଦୁର୍ଘଟଣା ହେବାର ଏହା ପ୍ରଥମ ଘଟଣା । ଏହି ଦୁର୍ଘଟଣାରେ ଗାଡିର କଣ୍ଡକ୍ଟର ଏବଂ ଆସୁଥିବା ପ୍ରାୟ ୧୫ଜଣ ଆହତ ହୋଇଛନ୍ତି । ତନ୍ମଧ୍ୟରୁ ଜହ୍ନାପଙ୍କ କଲେଜର ଅଧ୍ୟାପକ ପ୍ରଭାତ କୁମାର ଶତପଥୀ , ତାଙ୍କର ପତ୍ନୀ , ଝିଅ ପ୍ରିତିସ୍ମିତା – ସ୍ମିତା ଅଧିକ ଆହତ ହୋଇଛନ୍ତି । ବାଉଁଶୁଣୀର ପବିତ୍ର ମେହେର , ନିଆଳି ମେହେରଙ୍କୁ ଦଶପଲ୍ଲା ଡାକ୍ତରଖାନା ଅଣାଯାଇ ଚିକିତ୍ସା କରାଯାଉଛି । ବସ୍ ଡ୍ରାଇଭରଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ରେଫର କରାଯାଇଛି । ଦଶପଲ୍ଲା ଡାକ୍ତରଖାନାରେ ଡା .ନବ କିଶୋର ସାହୁ , ଡା. ରଶ୍ମି ରଂଜନ ଭଦ୍ରା ଚିକିତ୍ସା ଜାରି ରଖିଛନ୍ତି । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା , ଏନ୍ଏସି ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀ , ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ , ପୂର୍ବତନ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଭଲମନ୍ଦ ବୁଝିବା ସହିତ ପରିବାର ସହ ଯୋଗାଯୋଗ କରୁଛନ୍ତି ।