ଅନ୍ଧ ବିଶ୍ୱାସର କରୁଣ ପରିଣତି

ଦଶପଲ୍ଲା,୧୩/୬- ଗ୍ରାମାଞ୍ଚଳରେ ଆଜିବି ଲୋକଙ୍କ ମନରେ ବିଶ୍ୱାସ ଜନ୍ମେଇଛି ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସ । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଅନେକ ଅପରାଧମୂଳକ କାର୍ଯ୍ୟ ଘଟିଚାଲିଛି । ହେଲେ ଏହା ମଧ୍ୟରେ ଗୁଣିଗାରେଡିର ବଶବର୍ତ୍ତୀ ହୋଇ ନିଜ ପୁଅକୁ ଶିକୁଳିରେ ବାନ୍ଧି ରଖିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକର ଆଦିବାସୀ ବହୁଳ କୁଜାମେଣ୍ଢିି ପଞ୍ଚାୟତ ରୂପାଝରୀ ଗ୍ରାମରେ । ସୂଚନା ଅନୁଯାୟୀ, ଗ୍ରାମର କାର୍ତ୍ତିକ କହଁରଙ୍କ ପୁଅ ପ୍ରତାପ କହଁର(୨୨) ୪ ମାସ ତଳେ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ପରିବାର ଲୋକ ଚିକିତ୍ସା କରିବା ସହ ଗ୍ରାମାଞ୍ଚଳ ପଦ୍ଧତିକୁ ଆପଣାଇଥିଲେ । ତାଙ୍କୁ ଗୁଣି ହୋଇଥିବା କୁହାଯାଇଥିଲା । ଯାହାକୁ ନେଇ କିଛି ସ୍ଥାନରେ ଝଡାଫୁଙ୍କା କରିଥିବା ବେଳେ କୌଣସି ସୁଫଳ ମିଳିନଥିଲା । ଏପଟେ ପ୍ରତାପ ଗ୍ରାମରେ ବିଭିନ୍ନ ଲୋକଙ୍କୁ ମାରଧର କରିବା ସହ ବିଭିନ୍ନ ଛେଳିକୁ ମଧ୍ୟ ମାରି ପକାଏ । ଫଳରେ ଅଧିକ ଚିକିତ୍ସା କରିବା ପାଇଁ ପରିବାର ଲୋକଙ୍କ ଆର୍ଥିକ ସମ୍ବଳ ନଥିବା ହେତୁ ଗୁଣିଗାରେଡିକୁ ଆପଣାଇ ପୁଅକୁ ଦୀର୍ଘ ୪ ମାସ ହେଲା ଏକ ଲୁହା ଶିକୁଳିରେ ବନ୍ଧଖମଣସ୍ଥିତ ସମ୍ପର୍କୀୟଙ୍କ ଘରେ ବନ୍ଧା ହୋଇ ରଖାଯାଇଛି । ରୋଜଗାର କରିବା ବୟସରେ ପୁଅର ଏଭଳି ଅବସ୍ଥାକୁ ନେଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଯଦି ପ୍ରଶାସନ ପକ୍ଷରୁ କୌଣସିି ସହାୟତା ମିଳନ୍ତା ତେବେ ପୁଅର ଚିକିତ୍ସା ହୋଇପାରନ୍ତା ବୋଲି ପରିବାର ପକ୍ଷରୁ କୁହାଯାଇଛି ।

Comments (0)
Add Comment