ଦଶପଲ୍ଲା,୨/୪: – ଦଶପଲ୍ଲା ବ୍ଲକ୍ କୁଲୁରୁକୁମ୍ପା ଗ୍ରାମପଞ୍ଚାୟତର ଦୁର୍ଗାପ୍ରସାଦ ଗ୍ରାମରେ ବିରାଜିତ ଦଶପଲ୍ଲା ପଶ୍ଚିମାଞ୍ଚଳର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଯୋଗେଶ୍ୱର ମହାଦେବଙ୍କ ପୀଠରେ ଆଜିଠାରୁ ୧୩ ଦିନାତ୍ମକ ଦଣ୍ଡଯାତ୍ରା ବା ଝାମୁଯାତ୍ରା ଆରମ୍ଭ ହୋଇଛି । ଅମାବାସ୍ୟା ରାତ୍ର ୧୧ ଘଟିକା ସମୟେ ପାରଂପାରିକ ବିଧିମତେ କାମନା ମନ୍ଦିରରୁ ଦଣ୍ଡକାଳୀଙ୍କୁ ଜଳତୋଠକୁ ନେଇ ସେଠାରେ ବୈଦିକମତେ ହୋମ ଓ ଘୃତାହୁତି ହେବାସହିତ, ଜୀବନ୍ୟାସ ପ୍ରଦାନ ପୂର୍ବକ ପାଟଦଣ୍ଡ ଓ ପାଣିଦଣ୍ଡରେ ଶୈବାଗ୍ନୀ ସଂଯୋଗ ପରେ ପୁରୋହିତ, ପୂଜକ, ପାଟଦଣ୍ଡୁଆ,ପାଣିଦଣ୍ଡୁଆ, କାଳୀକା ମେଢ଼ ଓ ୧୩ ଋଷିପୁତ୍ର ( ଦଣ୍ଡୁଆ ) କାମନାଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପ୍ରାତଃ ମୂହୁର୍ତ୍ତରେ ଗ୍ରାମ ମୁଖିଆ ସୁକାନ୍ତ ଦଳବେହେରାଙ୍କ ଗୃହରେ ପ୍ରଥମ ବନ୍ଦାପନା ଓ ଆଳତୀ ପରେ ଦଣ୍ଡକାଳୀ ଗ୍ରାମଦାଣ୍ଡକୁ ଧୂଳିଦଣ୍ଡ ପାଇଁ ବିଜେ କରିଥିଲେ । ସଂଧ୍ୟାରେ ଜଳତୋଠରେ ମହାଶ୍ନାନ ପରେ ଗ୍ରାମର ପ୍ରତ୍ୟେକ ଦ୍ୱାରେ ଦ୍ୱାରେ ବାଳଭୋଗ ଲାଗି ପରେ ଠାକୁରଙ୍କ ନିକଟରେ ରାତ୍ରିର ପ୍ରଥମ ପ୍ରହରେ ପଣାଲାଗି ହୋବାପରେ ଦ୍ୱିତୀୟ ପ୍ରହରରେ ଅନ୍ନଭୋଗ ଓ ଆଳତୀ ଉପାନ୍ତେ ଠାକୁର ଗ୍ରାମ ଦାଣ୍ଡରେ ବିଜେହେବା ପରେ, ଠାକୁରଙ୍କ ନୀଳା ସୁଆଙ୍ଗକୁ ଗ୍ରାମର କଳାକାରମାନେ ଅତି ଚମତ୍କାର ଶୈଳୀରେ ଅଭିନୀତ କରିଥାନ୍ତି । ଏବର୍ଷ କରୋନା କଟକଣା କୋହଳ ଥିବାରୁ ଦଶପଲ୍ଲା ପଶ୍ଚିମାଞ୍ଚଳର ହଜାର ହଜାର ଭକ୍ତ ଓ ଦର୍ଶକଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି ।