ହିନ୍ଦୀ ଶିକ୍ଷକଙ୍କ ଅଶାଳୀନ ବ୍ୟବହାର ଅଭିଯୋଗରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଦଶପଲ୍ଲା,୧୩/୯:- ପୁଣି ଚର୍ଚ୍ଚାରେ ହିନ୍ଦୀ ଶିକ୍ଷକ । ବଦଳି ପ୍ରତିଶ୍ରୁତି ପାଇ ଆନ୍‌ଦୋଳନରୁ ଓହରିଲେ ପିଲା । ହିନ୍ଦୀ ଶିକ୍ଷକଙ୍କ ଛାତ୍ରୀଛାତ୍ରଙ୍କୁ ଅଶାଳୀନ ବ୍ୟବହାର ପ୍ରତିବାଦରେ ନୂଆଗାଁ ବ୍ଲକ ଆଦିବାସୀ ଅଧ୍ୟୁଷିତ, ଗୁମୀ ପଞ୍ଚାୟତ ଡିମିରିପଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୫୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ସୋମବାର ରାସ୍ତାରୋକ କରିଥିଲେ । ପିଲାମାନେ ଶିକ୍ଷକଙ୍କ ବଦଳି ଦାବି କରିଥିଲେ । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ୧୯୫୬ ମସିହାରେ ହାଇସ୍କୁଲ ପ୍ରତିଷ୍ଠା କରାଯାଇଛି । ଏହି ସ୍କୁଲରେ ଷଷ୍ଠ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ପଢିବାର ସୁବିଧା ରହିଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ଛାତ୍ର ଆସି ହଷ୍ଟେଲ ରହି ଅଧ୍ୟୟନ କରିଥାନ୍ତି । ପ୍ରଧାନ ଶିକ୍ଷକଙ୍କ ବଦଳି ପରେ, ହିନ୍ଦି ଶିକ୍ଷକ ରବି ନାରୟଣ ଷଡଙ୍ଗୀ ନୂତନ ଭାବେ ଡିମିରିପଲୀ ହାଇସ୍କୁଲରେ ଯୋଗ ଦେବା ସହ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହିଥିଲେ । ତେବେ ହିନ୍ଦୀ ଶିକ୍ଷକ ଶ୍ରୀ ଷଡଙ୍ଗୀ ଉକ୍ତ ସ୍କୁଲରେ ଯୋଗ ଦେବା ଦିନଠାରୁ ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଅଶାଳୀନ ବ୍ୟବହାର ସାଙ୍ଗକୁ ମଦ୍ୟପାନ କରି ସ୍କୁଲ ଆସିବା ନେଇ ଛାତ୍ରୀଛାତ୍ରମାନଙ୍କ ମନରେ ଅସନ୍ତୋଷ ଦେଖା ଦେଇଥିଲା । ଦିନକୁ ଦିନ ହିନ୍ଦୀ ଶିକ୍ଷକଙ୍କ ବ୍ୟବହାର ଅସହ୍ୟ ହେବାରୁ ଉକ୍ତ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର ଦାବି କରି ସୋମବାର ରାଜରାସ୍ତାକୁ ଛାତ୍ରୀଛାତ୍ର ଓହ୍ଲାଇଥିଲେ । ଖବରପାଇ ନୂଆଗାଁ ବିଡିଓ ପ୍ରମୋଦ କୁମାର ନାୟକ , ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ, ବ୍ଲକ ସମାଜ ମଙ୍ଗଳ ଅଧିକାରୀ ମଳୟ ରଞ୍ଜନ ଚିନରା ଆନ୍ଦୋଳନ ସ୍ଥାନରେ ପହଞ୍ଚି ଛାତ୍ରୀଛାତ୍ରମାନଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ କେହି ଶୁଣି ନଥିଲେ । ଛାତ୍ରଛାତ୍ରୀ ମାନେ ହିନ୍ଦି ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରିବା ଦାବିରେ ଅଟଳ ରହିଥିଲେ । ଅଧିକାରୀମାନେ ଶିକ୍ଷକଙ୍କୁ ବଦଳି କରିବାର ପ୍ରତିଶ୍ରୁତି ଦେବାପରେ, ଛାତ୍ରଛାତ୍ରୀମାନେ କହିଥିଲେ ଯେ ସେ ଶିକ୍ଷକ ଯେଉଁ ସ୍କୁଲକୁ ଯିବେ ସେଠାରେ ଆମଭଳି ଅନ୍ୟ ଛାତ୍ରୀଛାତ୍ରଙ୍କୁ ଏପରି ବ୍ୟବହାର କରିବେ । ତେଣୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଉ ବୋଲି ଅଡି ବସିଥିଲେ । ତେବେ ବହିଷ୍କାର ବାବଦରେ ଜିଲାପାଳଙ୍କ ସହ ଆଲୋଚନା କରାଯିବ । କିନ୍ତୁ ବର୍ତ୍ତମାନଠାରୁ ସମ୍ପୃକ୍ତ ଶିକ୍ଷକ ଏହି ସ୍କୁଲରେ ରହିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏ ସମ୍ପର୍କରେ ହିନ୍ଦି ଶିକ୍ଷକ ଷଡ଼ଙ୍ଗୀଙ୍କୁ ପଚାରିବାରେ ଅଭିଯୋଗ ଭିତ୍ତିହୀନ ଓ ମୁଁ ସ୍କୁଲ ଓ ଛାତ୍ରଛାତ୍ରୀ ମାନଙ୍କୁ ଅନୁଶାସନରେ ପରିଚାଳିତ କରିବାକୁ ଚାହୁଁଥିବାରୁ ମୋତେ ବିରୋଧ କରି ଏହି ଆନ୍ଦୋଳନ ମାଧ୍ୟମରେ ବଦନାମ କରାଯାଉଛି ବୋଲି ସେ କହିଛନ୍ତି । ଶେଷରେ ଶିକ୍ଷକ ଷଡଙ୍ଗୀ ଛାତ୍ରୀଛାତ୍ରଙ୍କ ନିକଟରେ ନିଜର ଭୁଲ୍‌ ସ୍ୱୀକାର କରି ସ୍କୁଲରୁ ବାହାରିଯିବା ପ୍ରତିଶ୍ରୁତି ଦେବାପରେ ଛାତ୍ରୀଛାତ୍ର ଆନ୍ଦୋଳନରୁ ଓହରିଥିଲେ ।

Comments (0)
Add Comment