ନୟାଗଡ ନବଜାତ ଶିଶୁ ନିଖୋଜ ଘଟଣା

ଦଶପଲ୍ଲା,୬/୨: – ନୟାଗଡ ଜିଲ୍ଲା ହସ୍ପିଟାଲରେ ଜନ୍ମିତ ଶିଶୁପୁତ୍ରକୁ ନିଖୋଜ ହେବାର ୭ଦିନ ପରେ ଭୁବନେଶ୍ୱରରୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶିଶୁକୁ ଚିକିତ୍ସା ପାଇଁ ବର୍ତ୍ତମାନ ଜିଲ୍ଲା ଡାକ୍ତରଖାନାରେ ରଖାଯାଇଛି । ନବଜାତ ଶିଶୁ ନୟାଗଡରୁ ଭୁବନେଶ୍ୱର କେମିତି ପହଞ୍ଚିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଶିଶୁପୁତ୍ରକୁ ଭୁବନେଶ୍ୱରରୁ ପୋଲିସ୍‌ କାହାପାଖରୁ ଉଦ୍ଧାର କରିଛି ସେ ସମ୍ପର୍କରେ କୌଣସି ସୂଚନା ମଧ୍ୟ ନାହିଁ । ସନ୍ଦେହ ଘେରରେ ରହିଥିବା ଏହି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଉଥିବା ସାଧାରଣରେ ଅଭିଯୋଗ ହେଉଛି । ନୟାଗଡ ବ୍ଲକ ନୋତର ଗାଁର ରବିନ୍ଦ୍ର କୁମାର ସ୍ୱାଇଁଙ୍କ ପତ୍ନୀ ଗତ ଜାନୁୟାରୀ ୨୮ ତାରିଖରେ ନୟାଗଡ ଜିଲ୍ଲା ହସ୍ପିଟାଲରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । କିଛି ସମୟ ପରେ ରବିନ୍ଦ୍ର ସ୍ୱାଇଁଙ୍କ ପୁଅ ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ମଧ୍ୟ ପୁଅକୁ ପାଇନଥିଲେ ବାପା ମା’ । ଘଟଣା ସମ୍ପର୍କରେ ସ୍ଥାନୀୟ ଆଶାକର୍ମୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ଜଣାଇଥିଲେ । ସ୍ଥାନୀୟ ପୋଲିସ ଘଟଣାର ତଦନ୍ତକରି ଗତ ଗୁରୁବାର ଭୁବନେଶ୍ୱରରୁ ଶିଶୁପୁତ୍ରକୁ ଉଦ୍ଧାରକରି ନୟାଗଡ ଜିଲ୍ଲା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଥିଲା । ଘଟଣା ସମ୍ପର୍କରେ ଶିଶୁର ବାପା ମା’ଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ରବିନ୍ଦ୍ର ସ୍ୱାଇଁଙ୍କର ପୂର୍ବରୁ ଦୁଇ ଜଣ ସନ୍ତାନ ଅଛନ୍ତି । ରବିନ୍ଦ୍ର ଗରିବ ଶ୍ରେଣୀର ହୋଇଥିବାରୁ ଅଭାବ ଅନଟନରେ ତାଙ୍କର ଦିନ କଟେ । ତୃତୀୟ ସନ୍ତାନ ଜନ୍ମ ହେବାର କିଛି ଘଣ୍ଟା ମଧ୍ୟରେ ଡାକ୍ତରଖାନା ପରିସରରୁ ଆଖି ପିଛୁଳାକେ ଗାଏବ ହୋଇଯିବା ଘଟଣା ଏବେ ସନ୍ଦେହ ଘେରରେ ରହିଛି । ଏହି ନିଖୋଜ ଘଟଣାରେ ଶିଶୁପୁତ୍ରର ବାପା ମା’ ଓ ଜଣେ ଷ୍ଟାଫ ନର୍ସଙ୍କ ସମ୍ପର୍କୀୟ ସମ୍ପୃକ୍ତ ରହିଥିବା ଅଭିଯୋଗ ହେଉଛି । ତେବେ ଘଟଣାର ତଦନ୍ତ ପରେ ସମସ୍ତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି ।

Comments (0)
Add Comment