ହକ୍‌ପାଇଁ ଏକାଠି ହେଲେ ଗୋପାଳପୁରର ମଠସାହି ଗ୍ରାମବାସୀ

ଦଶପଲ୍ଲା,୧୮/୯- ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ୍‌ ଆଦିବାସୀ ଅଧ୍ୟୁଷିତ ଟାକରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର ମୌଜାର ମଠସାହି ଗ୍ରାମକୁ ସ୍ୱାଧୀନତାର ୭୫ ବର୍ଷପରେ ମଧ୍ୟ, ନା ଅଛି ଗୋଟେ ସବୁଦିନିଆ ରାସ୍ତା ନା ହେଇପାରିଛି ନାଳ ଉପରେ ପୋଲ । ସାମାନ୍ୟ ବର୍ଷାରେ ବେହାଲ ହୋଇଯାଏ ମଠସାହି ରାସ୍ତା । ନା ଶୁଣିଛି ପ୍ରଶାସନ ନା ହେଇପାରୁଛି ସମାଧାନ । ସମସ୍ୟା ଉତ୍କଟ ହେବାରୁ ଗ୍ରାମବାସୀ ଏକତ୍ରିତ ହୋଇ ୩ ଦିନ ହେବ ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ରାସ୍ତା ଓ ନାଳର ଦୃଶ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇବା ସହ ତାଙ୍କର ଅସୁବିଧାକୁ ପରିପ୍ରକାଶ କରିଥିଲେ । ସେମାନଙ୍କର ସମସ୍ୟା କିପରି ପ୍ରଶାସନ ପାଖରେ ପହଞ୍ଚିବ ଏବଂ ସମାଧାନ ହେବ ସେ ବିଷୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗୁହାରୀ କରିଥିଲେ । ଗ୍ରାମବାସୀ କହିଥିଲେ ଯେ, ଯଦି ବର୍ଷାଦିନେ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଏ ତେବେ,ନା ଯାଇପାରେ ୧୦୮ ଆମ୍ବୁଲାନ୍ସ ନା ଯାଇପାରେ ଅଟୋ । କିଛି ଦିନ ତଳେ ଜଣେ ମହିଳାଙ୍କୁ ଖଟରେ ନେଇ ଯାଉଥିବାର ଦୃଶ୍ୟ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା କିନ୍ତୁ ତାହାର ସମାଧାନ ନାହିଁ ବୋଲି ଅଭିଯୋଗ କରିଥିଲେ ମଠସାହି ଗ୍ରାମବାସୀ । ଯଦି ଖୁବଶୀଘ୍ର ତାଙ୍କ ଅସୁବିଧାର ସମାଧାନ ନ କରାଯାଏ ତେବେ ସେ ରାଜରାସ୍ତା ଅବରୋଧ କରିବାସହ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Comments (0)
Add Comment