କେବେ ଧରାପଡିବେ ନକଲି ଶିକ୍ଷକ ?

ଦଶପଲ୍ଲା,୮/୫:- ରାଜ୍ୟ ଶିକ୍ଷା ବିଭାଗ ଅଧୀନରେ ବିଭିନ୍ନ କ୍ଷେତ୍ରରେ ଜାଲ୍‌ ପ୍ରମାଣପତ୍ର ଦେଇ ଅନେକ ଶିକ୍ଷକ କାର୍ଯ୍ୟରେ ଯୋଗଦେଇଥିବା ସୂଚନା ମିଳିବାପରେ ୨୦୧୯ରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ତରଫରୁ ଶିକ୍ଷକମାନଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ କରି ନକଲି ଶିକ୍ଷକଙ୍କୁ ଠାବ କରିବାପାଇଁ ଜିଲ୍ଲା ଶିକ୍ଷାବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଶିକ୍ଷା ବିଭାଗ ଅଧୀନରେ ବହୁବର୍ଷ ଧରି ଅନେକ ଶିକ୍ଷକ ଜାଲ୍‌ ପ୍ରମାଣପତ୍ର ଦେଇ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏନେଇ ଜିଲ୍ଲା ଶିକ୍ଷାବିଭାଗ ନିର୍ଦ୍ଦେଶକ୍ରମେ ଜାଲ୍‌ ଶିକ୍ଷକଙ୍କୁ ଚିହ୍ନଟ କରିବାପାଇଁ ଦଶପଲ୍ଲା ବ୍ଲକ ଶିକ୍ଷା ବିଭାଗ ଦ୍ୱାରା ଶିକ୍ଷକମାନଙ୍କର ଶିକ୍ଷାଗତ ଯୋଗ୍ୟତା ସମ୍ବନ୍ଧୀୟ ପ୍ରମାଣପତ୍ରଗୁଡ଼ିକୁ ସ୍ୱତନ୍ତ୍ର ଭାବରେ ତଦନ୍ତ କରାଯାଇଥିଲା । ଅନେକ କାର୍ଯ୍ୟରତ ଶିକ୍ଷକଙ୍କର ଶିକ୍ଷାଗତ ପ୍ରମାଣପତ୍ରରେ ତୃଟି ବାହାରିଥିବା ଅସମର୍ଥିତ ସୂତ୍ରରୁ ସୂଚନା ମିଳିଥିଲା । ହେଲେ ତଦନ୍ତ ପ୍ରକ୍ରିୟା ସରିବାର ବହୁମାସ ବିତିଯାଇଥିଲେ ମଧ୍ୟ ଜାଲ ପ୍ରମାଣପତ୍ର ମାଧ୍ୟମରେ ଶିକ୍ଷକତା କାର୍ଯ୍ୟକରି ମୋଟା ଅଙ୍କର ସରକାରୀ ଦରମା ପାଇ ଚାଲିଛନ୍ତି ଅନେକ ନକଲି ଶିକ୍ଷକ । ଶିକ୍ଷା ବିଭାଗ ଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ଜାଲ୍‌ ପ୍ରମାଣପତ୍ରଧାରୀ ଶିକ୍ଷକମାନଙ୍କ ତାଲିକା ପ୍ରକାଶ କରିନଥିବାବେଳେ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଏନେଇ ଜିଲ୍ଲା ଶିକ୍ଷା ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ସ୍ୱରୂପ ତୁରନ୍ତ ଜାଲ୍‌ ଶିକ୍ଷକମାନଙ୍କର ତାଲିକା ପ୍ରକାଶ କରି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସର୍ବସାଧାରଣରେ ଦାବି ହେଉଛି ।

Comments (0)
Add Comment