ଦଶପଲ୍ଲାର ବିଭିନ୍ନ ଗ୍ରାମରେ ପୁଲିସ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ

ଦଶପଲ୍ଲା,୪/୨: – ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରଚାରକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଥିବାବେଳେ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ନିଜନିଜର କ୍ଷେତ୍ର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ବ୍ଲକର ବିଭିନ୍ନ ସମ୍ବେଦନଶୀଳ ବୁଥ୍‌ ଏବଂ ଗ୍ରାମଗୁଡିକୁ ଚିହ୍ନଟ କରାଯାଇ ସେସବୁ ଉପରେ କଡ଼ା ନଜର ରଖାଯାଇଛି । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ଆହ୍ୱାନ ଦେବା ସହ ଆଜି ଦଶପଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ୍‌ ମାର୍ଚ୍ଚ କରାଯାଇଛି । ଦଶପଲ୍ଲା ବ୍ଲକର ମଧ୍ୟଖଣ୍ଡ ସମେତ ସାକେଣୀ , ଶିମିଳିସାହି ଏବଂ ଦେଢଶର ଆଦି ଗ୍ରାମରେ ଫ୍ଲାଗ୍‌ ମାର୍ଚ୍ଚ କରାଯାଇଛି । ଏସ୍‌ଡିପିଓ ଶୁଭେନ୍ଦୁ ସିହ୍ନାଙ୍କ ନେତୃତ୍ୱରେ ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ା , ୧ ପ୍ଲାଟୁନ୍‌ ପୁଲିସ ଫୋର୍ସ ଏବଂ ଥାନାର କର୍ମଚାରୀଙ୍କୁ ନେଇ ଏହି ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି । ହିଂସାତ୍ମକ କାର୍ଯ୍ୟ , ଚୋରି , ଡକାୟତି ଏବଂ ରାହାଜାନି ପ୍ରଭୃତି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଜନସାଧାରଣଙ୍କୁ କୁହାଯାଇଛି । ଏପରିକି ପୂର୍ବରୁ ନିର୍ବାଚନ ସମୟରେ ବିଭିନ୍ନ ହିଂସାତ୍ମକ କାର୍ଯ୍ୟରେ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ନୋଟିସ୍‌ ଜାରି କରାଯାଇଥିବା ବେଳେ ନିର୍ବାଚନ ସମୟରେ ହିଂସାକାଣ୍ଡ ଘଟାଇଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

Comments (0)
Add Comment