ଦଶପଲ୍ଲା : ରାଜ୍ୟ ସରକାର ରାଜ୍ୟ ବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ସମୟରେ ବହୁ ଜନହିତକର ଯୋଜନା ପ୍ରଣୟନ କରିଥିବା ବେଳେ, ଗ୍ରାମାଂଚଳ ଚାଷୀମାନଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ ହେଇଥିବା ସେବା ସମବାୟ ସମିତି ପ୍ରମୁଖ ଭୂମିକା ତୁଲାଇଥାଏ । ହେଲେ ଦୀପତଳ ଅନ୍ଧାର , ତାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି, ବାହାଡ଼ା ଝୋଲା ସେବା ସମବାୟ ସମିତି ।
ଦିନଥିଲା, ନୟାଗଡ଼ ଜିଲ୍ଲାରେ ଭଲ କାମ କରିବା, ସହ ଲୋକଙ୍କ ପାଖରେ ସେବା ଦେବାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ଏହି ସେବା ସମବାୟ ସମିତି । ସେହି ସେବା ସମବାୟ ସମିତି ଆଜି ରୁଗଣ ଅବସ୍ଥାରେ ପଡ଼ିଛି ।
ଖବରରୁ ପ୍ରକାଶ ଗତବର୍ଷ ୨୭୦ ରୁ ଉଦ୍ଧ୍ୱର୍ ଚାଷୀ,ଏହି ସେବା ସମବାୟ ସମିତି ଜରିଆରେ ଧାନ ବିକ୍ରି କରିଥିବା ବେଳେ ସଠିକ୍ ସମୟରେ ପ୍ରାପ୍ୟ ମଧ୍ୟ ପାଇଥିଲେ । କିନ୍ତୁ କାର୍ଯ୍ୟରେ ଅବହେଳା ଦର୍ଶାଇ ସେହି ସମୟରେ କାର୍ଯ୍ୟ କରୁଥିବା ସଂପାଦକଙ୍କୁ ନିଲମ୍ବିତ କରାଯାଇଛି । ତାଙ୍କ ସ୍ଥାନରେ ନିକଟସ୍ଥ ବେରୁଆବାରୀ ସେବା ସମବାୟ ସମିତିର ସଂପାଦକ ଦଣ୍ଡପାଣି ଗୁରୁଙ୍କୁ ଦାୟିତ୍ୱ ଦେଇଥିଲେ । କିନ୍ତୁ ୭ ମାସ କାର୍ଯ୍ୟ ତୁଲାଇଥିଲେ ମଧ୍ୟ ବର୍ତ୍ତମାନ ବାହାଡ଼ା ଝୋଲା ସମିତିର ଦାୟିତ୍ୱ ସଠିକ ନେଇପାରିବେ ନାହିଁ ବୋଲି ଲିଖିତ ଭାବେ ଉପରସ୍ତ ଅଧିକାରୀଙ୍କ ନିକଟକୁ ଜଣାଇଛନ୍ତି । ଫଳତଃ, ଏବେ ବାହାଡ଼ାଝୋଲା ସେବା ସମବାୟ ସମିତିରେ ଧାନ ବିକ୍ରି କରିବା ପାଇଁ ଚାଷୀଙ୍କ ନାମ ପଂଜୀକରଣ ଓ ସାର ବିତ୍ତରଣ ଏକପ୍ରକାର ଠପ୍ ହୋଇଯାଇଛି ।
ଅଗଷ୍ଟ ମାସର ୧୫ ତାରିଖ ଅନ୍ତିମ ତାରିଖ ଥିବାରୁ, ପଂଜିକରଣ ନହୋଇ ବାହାଡ଼ାଝୋଲା ପଂଚାୟତର ଅନେକ ଚାଷୀ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ରହିବେ ବୋଲି ମନେହେଉଛି । ଏଠି ପ୍ରଶ୍ନ ଉଠୁଛି,ସରକାରୀ ବାବୁ ସାଧାରଣ ଲୋକଙ୍କ ଟଙ୍କାରେ ଦରମା ପାଇ ସାଧାରଣ ଲୋକଙ୍କ ଦୁଃଖ ଦୂର କରିବା ପରିବର୍ତ୍ତେ ସମସ୍ୟା ବଢାଉଛନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ ନ ହେଲେ, ଆଗମୀ ଦିନରେ ଚାଷୀମାନେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଶୁଣିବାକୁ ମିଳୁଛି ।