୧୧କେଭି ବିଦ୍ୟୁତ ଆଘାତରେ ଯୁବକ ଗୁରୁତର

ବୌଦ୍ଧ : ମନମୁଣ୍ଡା ଥାନା ରତାଖଣ୍ଡି ଗ୍ରାମରେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁତର ଆହତ ହୋଇ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ମିଳିଥିବା ତଥ୍ୟ ଅନୁସାରେ ରତାଖଣ୍ଡି ଗ୍ରାମର ଲବ ପାଣ୍ଡେ(୨୨) ନାମକ ଜନୈକ ଯୁବକ ବୁଧବାର ରାତି ପ୍ରାୟ ୧୦ ଘଣ୍ଟା ସମୟରେ ଡାଳୁଅ ଧାନ ଚାଷ ଜମିକୁ ପାଣି ମଡାଇବା ପାଇଁ ଯାଉଥିବା ବେଳେ ଛିଣ୍ଡି ତଳେ ପଡିଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ତାଙ୍କର ଶରୀରର ଅର୍ଦ୍ଧାଧିକ ଅଂଶ ପୋଡିଯାଇଥିବା ବେଳେ ପରିବାର ଓ ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହୋଇ ପ୍ରଥମେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରେ ବୁର୍ଲା ଓ ସେଠାରୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲର ବର୍ନ ୟୁନିଟକୁ ସ୍ଥାନାନ୍ତର ହୋଇଥିଲେ ।
ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଏଭଳି ଘଟଣା ଉକ୍ତ ଗ୍ରାମରେ ଘଟୁଥିବା ଗ୍ରାମବାସୀ ଅଭିଯୋଗ କରନ୍ତି । କିଛି ବର୍ଷ ମଧ୍ୟରେ ଗ୍ରାମରେ ଏଭଳି ଦୁଇଟି ବିଦ୍ୟୁତ ଜନିତ ଦୁର୍ଘଟଣା ଘଟି ସାରିଥିଲେ ମଧ୍ୟ ବିଦ୍ୟୁତ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଗ୍ରାମବାସୀ ଆଶ୍ଚର୍ଯ୍ୟାନ୍ୱିତ କରିଛି । ପାଣି ପାଇଁ ଆସୁଥିବା ବନ୍ୟଜନ୍ତୁଙ୍କ ଶିକାର କରିବା ପାଇଁ କିଛି ଅସାଧୁ ଲୋକ ୧୧କେଭି ବିଦ୍ୟୁତ ତାର ବିଛାଇ ବେଆଇନ କାର୍ଯ୍ୟ କରୁଛନ୍ତି । ମନମୁଣ୍ଡାଠାରୁ ମାତ୍ର ୩/୪ କିଲୋମିଟର ଦୂରରେ ତେଲନଦୀ କୂଳରେ ଏହି ଗ୍ରାମ ଥିଲେ ମଧ୍ୟ ବିଦ୍ୟୁତ ବିଭାଗ କିମ୍ବା ବନବିଭାଗ କିଛି ଜାଣିପାରୁନଥିବା ସେମାନଙ୍କର ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସୁଛି ।

Comments (0)
Add Comment