ଶୋଭାଯାତ୍ରା ବିନା ଶୀତଳଷଷ୍ଠୀ ଯାତ୍ରା ସଂପନ୍ନ

ସମ୍ବଲପୁର: ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଅତ୍ୟନ୍ତ ସରଳ ଓ ନିରାଡମ୍ବର ସହିତ ଚଳିତବର୍ଷ ସଂପନ୍ନ ହୋଇଛି । ଜଗଦଜନନୀ ଆଦିମାତା ପାର୍ବତୀଙ୍କ ସହିତ ଦେବଦେବ ମହାଦେବଙ୍କ ବିବାହୋତ୍ସବ ଗତ ରାତି ସଂପନ୍ନ ହେଲାପରେ ନବବିବାହିତ ଦେବଦଂପତ୍ତି ସ୍ୱମନ୍ଦିର ପରିସରରେ ଭକ୍ତମାନଙ୍କୁ ଆଶୀର୍ବାଦ ଦେବା ପାଇଁ ଉଭା ହୋଇଛନ୍ତି । ଆଜି ସକାଳୁ ଭକ୍ତମାନେ ଶୁଦ୍ଧପୁତ ହୋଇ ଉକ୍ତ ମନ୍ଦିରମାନଙ୍କରେ ପହଞ୍ଚି ଦେବ ଦଂପତ୍ତିଙ୍କ ଠାରୁ ଆଶୀର୍ବାଦ କାମନା କରିଛନ୍ତି । ବିବାହ ପରେ ଦେବଦଂପତିଙ୍କ ସାଂସ୍କୃତିକ ଶୋଭାଯାତ୍ରା ସହିତ ନଗର ପରିକ୍ରମା ହିଁ ଏଠାରେ ଏହି ଉତ୍ସବର ମୁଖ୍ୟ ଆକର୍ଷଣ କିନ୍ତୁ ଏଥର ଏହାର ସଂପୂର୍ଣ୍ଣ ଅଭାବ ରହିଥିଲା ।

ଚାରିଆଡୁ ସଙ୍କଟ କବଳିତ ବର୍ତ୍ତମାନ ସଂସାରରେ ପରମପ୍ରଭୁଙ୍କ ଆଶୀର୍ବାଦ ହିଁ ଏକମାତ୍ର ସମ୍ବଳ ବୋଲି ଜନସାଧାରଣ ପ୍ରଭୁଙ୍କ ଦରବାରରେ ଉପସ୍ଥିତ ହୋଇ ଗୁହାରି କରୁଛନ୍ତି । କରୋନା ସହିତ ଲକଡାଉନ କଟକଣା ପରିପ୍ରେକ୍ଷୀରେ ଆଜିକାର ଉତ୍ସବ ଅତ୍ୟନ୍ତ ନିରାଡମ୍ବର ସହକାରେ ପାଳିତ ହେଉଛି । ପ୍ରଭୁଙ୍କ ଦର୍ଶନ ସମୟରେ ପ୍ରଶାସନ ଦ୍ୱାରା ଘୋଷିତ ସମସ୍ତ କଟକଣା ଅକ୍ଷରେ ଅକ୍ଷରେ ପାଳନ କରାଯାଉଛି । ପ୍ରବେଶ ଦ୍ୱାର ଠାରେ ଜଣେ ପ୍ରତ୍ୟେକ ଆଗନ୍ତୁକ ଭକ୍ତଙ୍କ ଦୁଇହାତ ସାନିଟାଇଜର ଜରିଆରେ ସଫା କରାଇବାସହିତ ସେମାନଙ୍କ ମାସ୍କ ପିନ୍ଧା ସୁନିଶ୍ଚିତ କରୁଛନ୍ତି । ପୂର୍ବରୁ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଧାର୍ମିକ ଅନୁଷ୍ଠାନ ପରିସର ଓ ଆଖପାଖ ଅଞ୍ଚଳରେ ଧାରା ୧୪୪ କରାଯାଇଛି ତେଣୁ ସେଠାରେ କୌଣସି ପ୍ରକାରେ ଜନଗହଳିର ସୁଯୋଗ ଦିଆଯାଉନାହିଁ ।

ସେଠାରେ କୌଣସି ଗୀତ ବାଦ୍ୟ ହେଉନଥିବାରୁ ଶାନ୍ତି ଓ ଶୃଙ୍ଖଳାର ସହିତ ଦେବଦଂପତ୍ତିଙ୍କ ଦର୍ଶନ କରାଯାଉଛି । ଆଜି ଏଠାରେ ପଦସ୍ଥ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟରୁ ଜାରି ଏକ ସୂଚନା ବଳରେ ଆସନ୍ତାକାଲି ଶୁକ୍ରବାର ମେ ୨୯ତାରିଖ ଶୀତଳଷଷ୍ଠୀ ପାଇଁ ଛୁଟି ଘୋଷଣା କରାଯାଇଛି । ବୋଧହୁଏ ଏଠାରେ ଭକ୍ତଙ୍କ ମନରେ ଆବେଗସତ୍ତ୍ୱେ ଏତେବଡ ଯାତ୍ରା ଉତ୍ସବକୁ ସମସ୍ତ ପ୍ରଶାସନିକ ନିୟମ ଓ କଟକଣାକୁ ମାନି ଶାନ୍ତିଶୃଙ୍ଖଳାର ସହିତ ପାଳନ କରାଯାଇଥିବାରୁ ପ୍ରଶାସନ ତରଫରୁ ଏପରି ଘୋଷଣା କରାଯାଇଛି ବୋଲି ଏଠାରେ ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି ।

Comments (0)
Add Comment