ବୌଦ୍ଧ/ଜହ୍ନାପଙ୍କ:ଗ୍ରାମାଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ପାଣି ବୁହାଇଲା ପରି ଖର୍ଚ୍ଚ କରୁଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ତଥା ପଞ୍ଚାୟତ ପ୍ରତିନିଧିଙ୍କ ସମନ୍ୱୟ ଅଭାବରୁ ପାନୀୟଜଳ ପ୍ରକଳ୍ପ ଠିକଭାବେ ଚାଲୁନଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ଆସିଛି ବୌଦ୍ଧବ୍ଲକ ପଦ୍ମନପୁର ପଞ୍ଚାୟତର ସ୍ଥାନୀୟ ଗାଁରୁ । ୧୪ଶହ ଲୋକସଂଖ୍ୟା ବିଶିଷ୍ଟ ପଦ୍ମନପୁର ଗାଁରେ ଖରାଦିନେ ପାନୀୟଜଳର ଘୋର ଅସୁବିଧା ଦୃଷ୍ଟିରୁ ୨୦୧୧ମସିହାରେ ଗ୍ରାମ୍ୟ ଜଳଯୋଗାଣ ପକ୍ଷରୁ ପ୍ରାୟ ୨୫ଲକ୍ଷ ଟଙ୍କା ଅଟକଳରେ ବୋରୱେଲ ଖୋଳାଯାଇ ଓଭରହେଡ ଟ୍ୟାଙ୍କ ଯୋଗେ ଗାଁକୁ ପାନୀୟଜଳ ଯୋଗାଣପାଇଁ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ୧୨ଟି ଷ୍ଟାଣ୍ଡପୋଷ୍ଟ ଯୋଗେ ଗ୍ରାମବାସୀଙ୍କୁ ଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ଏହାର ଲକ୍ଷ୍ୟ ଥିଲା । କିନ୍ତୁ ନିମ୍ନମାନର ଷ୍ଟାଣ୍ଡପୋଷ୍ଟ ଯୋଗୁଁ ଜଳଯୋଗାଣ ପୂର୍ବରୁ କେତେକ ଭାଙ୍ଗିଯାଇଥିବାବେଳେ କେତେକ ଷ୍ଟାଣ୍ଡପୋଷ୍ଟରେ ପାଣି ମଧ୍ୟ ଠିକାଭାବେ ବାହାରୁନଥିଲା । ପରିଚାଳନାଗତ ତ୍ରୁଟିଯୋଗୁଁ ବାରମ୍ବାର ପାଇପ ଫାଟି ବର୍ଷକରେ ୪ମାସ ଚାଲିଲେ ୮ମାସ ବନ୍ଦ ରୁହେ । ବର୍ତ୍ତମାନ ୩ମାସହେଲା ଏହା ଚାଲୁନଥିବାରୁ ଗ୍ରାମବାସୀ ପାନୀୟଜଳ ପାଇଁ ହନ୍ତସନ୍ତ ହେବାକୁ ପଡୁଛି । ଗାଁଟି ଏକ ପଥର ଚଟାଣ ଉପରେ ବସିଥିବାରୁ ମାର୍ଚ୍ଚରୁ ଜଳସ୍ତର ନିମ୍ନଗାମୀ ହେତୁ କୂଅ, ନଳୁକୂଅରୁ ଠିକଭାବେ ପାଣି ବାହାରିନଥାଏ । ଏପରିକି ବାଲଟିଏ ପାଣିପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡେ । ଏହି ଦୃଷ୍ଟିରୁ ୨୦୧୧ ମସିହାରେ ୨୦ହଜାର ଲିଟର ଜଳଧାରଣ କ୍ଷମତା ବିଶିଷ୍ଟ ଏକ ଓଭରହେଡ ଟାଙ୍କି ନିର୍ମାଣ ମଧ୍ୟ ହୋଇଥିଲା । ଆଶାଥିଲା ଗାଁରେ ଜଳସଙ୍କଟ ଦୂର ହେବ କିନ୍ତୁ ଆଶା ଆଶାରେ ରହିଗଲା । ଏନେଇ ଗ୍ରାମ୍ୟ ଜଳଯୋଗାଣ କନିଷ୍ଠଯନ୍ତ୍ରୀ ସନ୍ତୋଷ ବେହେରାଙ୍କୁ ଯୋଗାଯୋଗ କରିବାରୁ ମଟର ପୋଡି ଯୋଗୁଁ ପ୍ରକଳ୍ପ ବନ୍ଦ ଅଛି ଏବଂ ବର୍ତ୍ତମାନ ପଞ୍ଚାୟତକୁ ଦାୟିତ୍ୱ ଦେଇଥିବାରୁ ଏହାର ଦେଖାରଖା ପଞ୍ଚାୟତ କରିବ ବୋଲି କହିଥିଲେ । ସରପଞ୍ଚ ପ୍ରତାପ କିଶୋର ପରିଡାଙ୍କୁ ଯୋଗାଯୋଗ କରିବାରୁ ମଟର ମରାମତି କାମ ସରିଛି ଷ୍ଟାଟର ଓ ତାର ପୋଡିଯାଇଛି ଶୀଘ୍ର ଏହାର ମରାମତି କରାଯାଇ ପାନୀୟ ଜଳଯୋଗାଣକୁ ସ୍ୱାଭାବିକ କରାଯିବ ବୋଲି କହିଥିଲେ । ଉଚ୍ଚ କର୍ତ୍ତୃପ କ୍ଷ ଏଥିପ୍ରତି ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।