ଚୀନକୁ ଏମିତି ଧମକ ଦେଲେ ଟ୍ରମ୍ପ

ୱାଶିଂଟନ, (ସ୍ୱ.ପ୍ର): ଆମେରିକାରେ କରୋନା ଭାଇରସ ସଂକ୍ରମଣ ସ୍ଥିତି ଏବେବି ଗମ୍ଭୀର ରହିଛି । ପ୍ରତିଦିନ ଦେଶରେ ହଜାର ହଜାର ଲୋକ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଭାଇରସ ବ୍ୟାପିବା ପାଇଁ ଚୀନ ଦାୟୀ ବୋଲି ଆମର ପୁରା ସନ୍ଦେହ । ଏ ନେଇ ଆମେରିକା ଅନୁସନ୍ଧାନ କରୁଛି । ଯଦି ଚୀନ ଦୋଷୀ ପ୍ରମାଣିତ ହୁଏ, ତା\’ହେଲେ ଏହା ସାଂଘାତିକ ପରିଣାମ ଭୋଗିବ । ଚୀନକୁ ଏଭଳି ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ଯେ, ଯେତେବେଳେ ପ୍ରଥମେ ଚୀନରେ ଭାଇରସ ସୃଷ୍ଟି ହେଲା ସେତେବେଳେ ଚୀନ ସରକାର ବିଶ୍ୱବାସୀଙ୍କୁ ଏ ସଂପର୍କରେ ଜଣାଇଲେ ନାହିଁ । ଏହାକୁ ଚୀନ ଲୁଚାଇଲା । ନିଜ ଅଞ୍ଚଳକୁ ସୁରକ୍ଷିତ ରଖିବାକୁ ଯାଇ ଏହା ଅନ୍ୟ ଦେଶଗୁଡିକୁ ଭାଇରସ ବ୍ୟାପିବା ଲାଗି ସୁଯୋଗ ଦେଲା । ଯେଉଁଥି ଯୋଗୁଁ ଆଜି ବିଭିନ୍ନ ଦେଶ ମହା ସଂକଟରେ ପଡିଛନ୍ତି । ଆମେରିକାରେ ସଂକ୍ରମଣ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ରୋଗୀ ଚିହ୍ନଟ ପ୍ରକ୍ରିୟା ତ୍ୱରିତ ଭାବେ କରାଯାଉଛି । ଚୀନ ଯୋଗୁଁ ପରିସ୍ଥିତି ସବୁଠୁ ଖରାପ ହୋଇପଡିଲା । ଭାଇରସ ସୃଷ୍ଟି ହେବା ପରେ ଚୀନକୁ ସାହାଯ୍ୟ କରିବା ପାଇଁ ଆମେରିକା ହାତ ବଢାଇଥିଲା । ଦୁଇ ଦେଶ ମଧ୍ୟରେ ଭଲ ସଂପର୍କ ସୃଷ୍ଟି ହେଉଥିବା ବେଳେ ଚୀନ ସୁବିଧାବାଦୀ ନୀତି ଗ୍ରହଣ କରିବାରୁ ଆମେରିକାର ଆଜି ଏଭଳି ଦୁର୍ଦ୍ଦଶା ହୋଇଛି ।ତେଣୁ ଭାଇରସ ବ୍ୟାପିବା ପଛରେ ଚୀନର ହାତ ଅଛି ବୋଲି ଯଦି ପ୍ରମାଣିତ ହୁଏ ତା\’ହେଲେ ଆମେ କେବେବି ଚୁପ୍ ହୋଇ ବସିବୁ ନାହିଁ । ଅନ୍ତର୍ଜାତୀୟସ୍ତରରେ ଆମେ ନିଶ୍ଚୟ କିଛି ନା କିଛି କଠୋର ପଦକ୍ଷେପ ଗ୍ରହଣ କରିବୁ ବୋଲି ଟ୍ରମ୍ପ କହିଛନ୍ତି ।

Comments (0)
Add Comment