ବିକାଶର ନଗ୍ନଚିତ୍ର : ଅର୍ଦ୍ଧାହାରରେ ଯକ୍ଷ୍ମା ପୀଡିତା ପରିବାର, ସହାୟତା ଶୂନ

ବୌଦ୍ଧ: ସରକାର ଗରିବ ଲୋକଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବାପାଇଁ ପ୍ରଣୟନ କରିଛନ୍ତି ମାଳମାଳ ଯୋଜନା । ବାସ୍ତବରେ ଏ ସମସ୍ତ ଯୋଜନା ଗରିବ ଲୋକଙ୍କ ଆର୍ଥିକ ଓ ସାମାଜିକ ବିକାଶରେ କେତେ ସହାୟକ ହେଉଛି ଗ୍ରାମାଞ୍ଚଳର ବାସ୍ତବଚିତ୍ର ନଦେଖିଲେ ଜାଣିହେବନାହିଁ । ଏଭଳି ଏକ ବାସ୍ତବ ଓ ବିକାଶର ନଗ୍ନଚିତ୍ର ଦେଖିବାକୁ ମିଳିଛି ବୌଦ୍ଧବ୍ଲକ ଖଲିଆପାଲି ଗ୍ରାମପଞ୍ଚାୟତର କୁମରକାନି ଗ୍ରାମରେ । ଦାରିଦ୍ର‌୍ୟ, ଅସହାୟତା କବଳରେ ଉବୁଟୁବୁ ହେଉଛନ୍ତି ଏକ ପରିବାର । ଆମେ କହୁଛୁ ଇବୈଶାରୀ ନାଏକ ଓ ତାଙ୍କର ପତ୍ନୀ ଭାବି ନାଏକଙ୍କ ଅସହାୟତା କଥା । ଉଭୟ ସ୍ୱାମୀ ସ୍ତ୍ରୀଙ୍କ ବୟସ ୬୦ ବର୍ଷରୁ ଅଧିକ କିନ୍ତୁ ତାଙ୍କୁ ଏଯାଏଁ ଭତ୍ତା ମିଳିନାହିଁ । ପୁଅ ବିବାହିତ ଓ ଏକ ଘରୋଇ ଟ୍ରାକ୍ଟର ଗାଡିରେ ଦିନ ମଜୁରିଆ ଭାବେ କାମକରନ୍ତି । ସ୍ତ୍ରୀ ଭାବି ନାଏକ ଯକ୍ଷ୍ମା ପୀଡିତା ଓ କିଛିଦିନ ହେଲା ଔଷଧ ଖାଇବା ଆରମ୍ଭ କରିଥିଲେ ମଧ୍ୟ ଶଯ୍ୟାଶାୟୀ । ରହୁଥିବା ଘରର ଚାଳଛପର କି ତାଟିକବାଟ ନାହିଁ କିନ୍ତୁ ତାଙ୍କୁ ମିଳିନାହିଁ ସରକାରୀ ଯୋଜନାର ଘର ।

କୋରନା ପାଇଁ ଲକଡାଉନ ହେତୁ ଟ୍ରାକ୍ଟରରେ ଦିନ ମଜୁରିଆ କାମ କରୁଥିବା ପୁଅ ବେକାର ବସିରହିଛି । ସରକାର ଦେଇଥିବା ମାସିକ ୫କେଜି ଲେଖାଏଁଚାଉଳ ଛଡା ଆଉ କୌଣସି ସହାୟତା ତାଙ୍କ ପାଖରେ ଅପହଞ୍ଚ । ଲକ୍‌ଡାଉନ ସମୟରେ ସରକାର ଲୋକଙ୍କୁ ଯୋଗାଇ ଦେଉଥିବା ରନ୍ଧାଖାଦ୍ୟରୁ ଏ ପରିବାର ବଞ୍ଚିତ । ଏଭଳି ଦୁଃସ୍ଥିତି ଓ ପରିସ୍ଥିତି ମଧ୍ୟରେ ଅର୍ଦ୍ଧାହାରରେ ପଡିରହିଛି ଏ ଦୁଃସ୍ଥ ପରିବାର । କିଛି ଗଣମାଧ୍ୟମ ପ୍ରତିନିଧି ଗତକାଲି ଏ ପରିବାରର ଦୁଃସ୍ଥିତିର କାହାଣୀ ସାଉଣ୍ଟିବାକୁ କୁମରକାନୀ ଗ୍ରାମକୁ ଯାଇ ସରପଞ୍ଚଙ୍କ ସହ ଯୋଗାଯୋଗ କରିଥିଲେ । ସରପଞ୍ଚ ୧୦କେଜି ଚାଉଳ ଓ ଡାଲି କେଜିଟେ ଦେଇ ତାଙ୍କର କର୍ତ୍ତବ୍ୟ ସାରିଦେଇଥିବା ଜଣାପଡିଛି ।


ଅର୍ଦ୍ଧାହାରରେ ରହୁଥିବା ଏହି ପରିବାର ପାଇଁ ପେଟର ଭୋକ ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ ଅତ୍ୟାବଶ୍ୟକ ହୋଇପଡିଛି ଯକ୍ଷ୍ମା ପୀଡିତା ଭାବି ନାୟକଙ୍କ ସୁସ୍ଥା ହେବା । ବହୁଦିନରୁ ଏହି ରୋଗରେ ଆକ୍ରାନ୍ତହୋଇ ଅଜ୍ଞତା ଅଭାବରୁ ଚିକିତ୍ସିତ ହୋଇନଥିଲେ । ଗତ ୨/୪/୨୦୨୦ ରିଖରେ ଅବଗତ ହେବାପରେ ଡଟ୍‌ସ ଔଷଧ ସେବନ କରିଆସୁଛନ୍ତି ବୋଲି ତାଙ୍କ ସ୍ୱାମୀ ପ୍ରକାଶ କରନ୍ତି । ପେଟକୁ ଦାନା, ରୋଗକୁ ଔଷଧ ଓ ମୁଣ୍ଡ ଉପରେ ଛାତ ନଥାଇ ଅସହାୟ ଭାବରେ ଜୀବନ ବିତାଉଥିବା ଏ ପରିବାରକୁ ସହାୟତା କରିବାକୁ ଜିଲ୍ଲାପ୍ରଶାସନକୁ ଅନୁରୋଧ । ଉଭୟ ବୃଦ୍ଧବୃଦ୍ଧାଙ୍କୁ ବାଦ୍ଧର୍କକ୍ୟ ଭତ୍ତା ପ୍ରଦାନ କରିବାପାଇଁ ମଧ୍ୟ ପ୍ରଶାସନ ଯତ୍ନବାନ ହେବାର ଆବଶ୍ୟକତା ରହିଛି ।

Comments (0)
Add Comment